fbpx

Cyclone ‘Sitrang’ ଭୟ ହଟିଲା! ଓଡ଼ିଶା ଛୁଇଁବନି, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼େ ମୁହାଁଇବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇ ସାରିଥିବା ବେଳେ ଏହା ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ । ୨୩ରେ ଗଭୀର ଅବପାତରେ ପରିଣତ ହୋଇ ପରେ ଏହା ବାତ୍ୟାର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ।

ତେବେ ଏହା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ଆସିଛି ଏକ ଖୁସି ଖବର । ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ନାହିଁ । ଓଡ଼ିଶା ଉପକୂଳରୁ ବାତ୍ୟା ସମାନ୍ତରାଳ ଭାବେ ଗତି କରିବ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ ବାତ୍ୟା । ପରେ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗ ଆଡ଼କୁ ଗତି କରିବ । ବାତ୍ୟା ସମ୍ପର୍କରେ ପାଣିପାଗ କେନ୍ଦ୍ର ପକ୍ଷରୁ ସଦ୍ୟତମ ଟୁଇଟ୍ କରାଯାଇଥିବା ଜଣାପଡ଼ିଛି ।

ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବାତ୍ୟାକୁ ଏକ ଗୁଜବ ବୋଲି ଦର୍ଶାଯାଇଥିଲା । ମାତ୍ର ଗତ ୧୯ ତାରିଖରେ ଆଇଏମଡି ପକ୍ଷରୁ ବାତ୍ୟା ନେଇ ସତର୍କତା ସୂଚନା ଜାରି କରାଯାଇଥିଲା । ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ତେବେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଆଜି ସନ୍ଧ୍ୟାରେ ଏକ ବୈଠକ ବସିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ଏହି ବୈଠକ ବସିବ । ଏହି ବୈଠକରେ ଏସଆରସି, ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ୨୨ ତାରିଖଠାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ଯିବା ନେଇ ପୂର୍ବରୁ ବାରଣ କରାଯାଇଥିଲା ।

Get real time updates directly on you device, subscribe now.