fbpx

Covaxin ଟୀକା ନେବାର ୨ ବର୍ଷ ପରେ ହେଉଛି ମୃତ୍ୟୁ! ଟୀକାକରଣ ଆଣୁଛି କି ମରଣ?

ନୂଆଦିଲ୍ଲୀ: କରୋନା ଯୋଗୁଁ ଦେଶରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ତେବେ ଟୀକାକରଣ ପରେ କରୋନାର ପ୍ରଭାବରେ ନିୟନ୍ତ୍ରଣ କରିପାରିଛି ସ୍ୱାସ୍ଥ୍ୟ ବିଭାଗ । କିନ୍ତୁ ବର୍ତ୍ତମାନ ଏହିସବୁ ଟୀକାକୁ ନେଇ ଅନେକ ଆଲୋଚନା ହେବାରେ ଲାଗିଛି । ସୋସିଆଲ ମିଡିଆରେ କିଛି ଲୋକ ଦାବି କରିଛନ୍ତି ଯେ, କରୋନା ସମୟରେ ଦିଆ ଯାଇଥିବା କରୋନା ଟୀକା କୋଭାକ୍ସିନ ବର୍ତ୍ତମାନ ମୃତ୍ୟୁର କାରଣ ପାଲଟିଛି । କିଛି ଦିନ ତଳେ କୋଭିଶିଲ୍ଡ ଟୀକାକୁ ନେଇ ଏଭଳି ଆଲୋଚନା ହେଉଥିବା ବେଳେ ବର୍ତ୍ତମାନ କୋଭାକ୍ସିନକୁ ନେଇ ମଧ୍ୟ ଖୁବ ଆଲୋଚନା ହେଉଛି ।

କରୋନା ମହାମାରୀରୁ ମୁକ୍ତି ଦେବା ପାଇଁ ଭାରତ ବାୟୋଟେକ୍ କୋଭାକ୍ସିନ୍ ଭଳି ଟୀକା ପ୍ରସ୍ତୁତ କରିଥିଲା । ଏହି ଟୀକା ଅଧିକାଂଶରେ ମହାମାରୀ ବିପକ୍ଷରେ ଫଳପ୍ରଦ ମଧ୍ୟ ହୋଇଛି । କିନ୍ତୁ ବର୍ତ୍ତମାନ ଆଲୋଚନା ହେଉଛି ଯେ, ଟୀକାକରଣର ୨ ବର୍ଷ ପରେ ହାର୍ଟ ଆଟାକ ଯୋଗୁଁ ଲୋକମାନଙ୍କର ମୃତ୍ୟୁ ହେଉଛି । ତେବେ ଏହି ପ୍ରସଙ୍ଗରେ ଫ୍ୟାକ୍ଟ ଚେକ୍ କରିବା ପରେ ଏହାର ସତ୍ୟାସତ୍ୟ ସାମନାକୁ ଆସିଛି । ସୋସିଆଲ ମିଡିଆ କିମ୍ବା ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିବା ଏସବୁ ମାମଲା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ ହୋଇଛି । କୋଭାକ୍ସିନ ସମେତ ଅନ୍ୟ ଟୀକା ଗୁଡ଼ିକୁ ମଞ୍ଜୁରୀ ମିଳିବା ପୂର୍ବରୁ ସୁରକ୍ଷା ଏବଂ ଏହାର ପ୍ରଭାବକୁ ଜାଣିବା ପାଇଁ କଠୋର ପରୀକ୍ଷା କରାଯାଇଛି । ଏହାବ୍ୟତୀତ ମଞ୍ଜୁରୀ ମିଳିବା ପରେ ମଧ୍ୟ ଟୀକାର ପ୍ରଭାବ ଉପରେ ନିରୀକ୍ଷଣ କରାଯାଇଥିଲା ।

ତେବେ ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଟୀକାକରଣ ପରେ ଏହାର କୌଣସି ପ୍ରଭାବ ପଡ଼ିପାରେ । କିନ୍ତୁ ଟୀକା ନେବାର ମାତ୍ର କିଛି ସମୟ ଭିତରେ ଏହାର ଲକ୍ଷଣ ପରିଲକ୍ଷିତ ହୁଏ । ଅନେକ ଦିନ ପରେ ଏହାର ଗମ୍ଭୀର ପ୍ରଭାବ ପରିଲକ୍ଷିତ ହେବା ଆଶ୍ଚର୍ଯ୍ୟଜନକ ଘଟଣା ବୋଲି କହିଛି WHO। କୌଣସି ରୋଗ ବିରୁଦ୍ଧରେ ଟିକା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କରୋନା ବିପକ୍ଷ ମହା ଲଢେଇରେ ଏହି ଟୀକା ହିଁ ଜୀବନର ଉତ୍ସ ପାଲଟିଥିଲା । କୋଟି କୋଟି ଭାରତୀୟଙ୍କ ଜୀବନ ରକ୍ଷା କରିବା ସହ ରୋଗର ବିସ୍ତାରକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଛି କୋଭାକ୍ସିନ୍ । ତେବେ ହୃଦଘାତ ଅନ୍ୟାନ୍ୟ କରଣରୁ ମଧ୍ୟ ହୋଇପାରେ । ତେଣୁ ଟୀକାକରଣର ୨/୩ ବର୍ଷ ପରେ ହେଉଥିବା ଏଭଳି ମାମଲା ପାଇଁ ଟୀକାକୁ ଦାୟୀ କରାଯାଇ ପାରିବ ନାହିଁ ।

Get real time updates directly on you device, subscribe now.