ଖୋଲିବ ମୃତ୍ୟୁ ରହସ୍ୟ, ରିମାଣ୍ଡରେ ଆସିବ ବୟଫ୍ରେଣ୍ଡ
କିଟ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା। ସସପେନ୍ସ ଉପରୁ ଉଠିବ ପରଦା। ରିମାଣ୍ଡରେ ଆସିବ ଅଭିଯୁକ୍ତ।
ଭୁବନେଶ୍ୱର: ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି କିଟ୍ କଲେଜ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା। ଭୁବନେଶ୍ୱରଠୁ ଆରମ୍ଭ କରି ନେପାଳ ସବୁଠି ଉଠୁଛି ପ୍ରତିବାଦର ସ୍ୱର। ନ୍ୟାୟ ଦାବିରେ କ୍ୟାଣ୍ଡେଲ ରାଲି ସହ ଧାରଣାରେ ବସୁଛନ୍ତି ଛାତ୍ରଛାତ୍ରୀ।
ଆଉ ଏହାରି ଭିତରେ ସମୟ ଯେତିକି ଗଡୁଛି କିଟ୍ କଲେଜର କଳା ଫର୍ଦ୍ଦ ସବୁ ସେତିକି ବାହାରକୁ ଆସୁଛି। ଆଉ ଏହି ଛାତ୍ରୀ ମୃତ୍ୟୁ ଘଟଣା ପ୍ରଥମ ନୁହେଁ। ବରଂ ଆଗରୁ ମଧ୍ୟ ଅନେକ ଏହିଭଳି ଘଟଣା ଚପାଇ ଦିଆଯାଇଛି ବୋଲି ଅଭିଯୋଗ ମଧ୍ୟ ହୋଇଛି। ହେଲେ ସବୁଠୁ ବଡ଼ କଥା ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ବୟଫ୍ରେଣ୍ଡ ଆଦ୍ୱିକକୁ ରିମାଣ୍ଡରେ ଆଣିବାକୁ ଯାଉଛି ପୋଲିସ।
ରିମାଣ୍ଡ ପାଇଁ ଆବେଦନ: ଯେହେତୁ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିସାରିଛି। ତେଣୁ ଅଭିଯୁକ୍ତ ଆଦ୍ୱିକକୁ ରିମାଣ୍ଡରେ ଆଣିବା ପାଇଁ ଇନଫୋସିଟି ପୋଲିସ ଆବେଦନ କରିବ। ପରେ ପୁରା ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ଅଭିଯୁକ୍ତ ପାଖରୁ ପୋଲିସ ଆଦାୟ କରିବ ବୋଲି ସୂଚନା ମିଳିଛି।
ସେପଟେ ଛାତ୍ରୀଙ୍କ ମୋବାଇଲ ଓ ଲାପଟପକୁ ଫରେନସିକ୍ ଲ୍ୟାବକୁ ପଠାଯାଇଛି। ଯେଉଁଥିରୁ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି। କିଟର IRO ଓ ହଷ୍ଟେଲ ଓ୍ୱାର୍ଡେନଙ୍କୁ ଜେରା କରିବା ପାଇଁ ନୋଟିସ୍ କରାଯାଇଛି।