fbpx

ଅନଲକ୍ ପ୍ରଥମ ଦିନରେ ଦିଲ୍ଲୀ ଜାମ୍, ଉପୁଜିଲା ଟ୍ରାଫିକ୍ ସମସ୍ୟା

ନୂଆଦିଲ୍ଲୀ: ରାଜଧାନୀରେ ସୋମବାର ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି କଟକଣା ଭିତରେ ତାଲା ଖୋଲିବା ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରୁ ହିଁ ଦେଶର ରାଜଧାନୀ ଦିଲ୍ଲୀରେ ଦେଖାଦେଇଛି ଟ୍ରାଫିକ୍ ଜାମ । ବିଭିନ୍ନ ସ୍ଥାନରେ ଉପୁଜିଛି ଏଭଳି ଟ୍ରାଫିକ୍ ସମସ୍ୟା । ଦୀର୍ଘ ସମୟ ଧରି ଗାଡ଼ିଗୁଡ଼ିକ ଟ୍ରାଫିକ୍ରେ ପସି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ ନିକଟ ଇନକମ୍ ଟାକ୍ସ ଅଫିସ୍ ଅଞ୍ଚଳରେ ସୋମବାର ଏଭଳି ଗୁରୁତର ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା । ଗାଡ଼ିଗୁଡ଼ିକ ପଛକୁ ପଛ ହୋଇ ଖୁବ୍ ଲମ୍ବାର ରାସ୍ତା ପର୍ଯ୍ୟନ୍ତ ଟ୍ରାଫିକ୍ରେ ଫସି ରହିଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯାଇଛି । କିନ୍ତୁ ଦିଲ୍ଲୀବାସୀ ଏଥିରେ ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ । ମହାମାରୀ କରୋନା ଭୂତାଣୁଠାରୁ ଦୂରେଇ ରହିବା ପାଇଁ ସମସ୍ତ ପ୍ରକାଣ ସତର୍କତା ଅବଲମ୍ବନ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ସହ ନିୟମିତ ଭାବେ ହାତ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିରେ ଆଦୌ କୋହଳ ନକରିବାକୁ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୂତାଣୁଠାରୁ ସୁରକ୍ଷିତ ରହିବା ସହ ଆର୍ଥିକ ସୁଧାର ଅବସ୍ଥା ଫେରାଇ ଆଣିବାରେ ସମସ୍ତଙ୍କ ଭୂମିକା ରହିଥିବା ମର୍ମରେ ମୁଖ୍ୟମନ୍ତ୍ରୀ ଶ୍ରୀ କେଜ୍ରିୱାଲ୍ ଟ୍ୱିଟ୍ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବଜାର, ମଲ୍ ଓ ଏକ ଭାବେ ଥିବା ଦୋକାନଗୁଡ଼ିକ ଆଦି ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବାକୁ ଦିଲ୍ଲୀ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଅଡ୍-ଇଭେନ୍ ଫର୍ମୁଲା ଅନୁସାରେ ଏସବୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେ ୧୦ରୁ ବନ୍ଦ ରହିଥିବା ଦିଲ୍ଲୀ ମେଟ୍ରୋ ଟ୍ରେନ୍ ମଧ୍ୟ ୫୦ ପ୍ରତିଶତ କ୍ଷମତା ନେଇ ଚାଲିବାକୁ ଅନୁମତି ଦିଆଯାଇଛି ।

ତେବେ ଅନଲକ୍ ପ୍ରକ୍ରିୟାର ପ୍ରଥମ ଦିନରେ ଟ୍ରାଫିକ୍ ସମସ୍ୟା ଉପୁଜିବା ଓ ଭିଡ଼ ହେବା ନେଇ ସରକାରଙ୍କ ଚିନ୍ତା ବଢ଼ିଛି । ବିଭିନ୍ନ ମହଲରେ ଏହାକୁ ନେଇ ଆଲୋଚନା ମଧ୍ୟ ଜୋର ଧରିଛି । ଏଭଳି ସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଦିଲ୍ଲୀରେ ସୋମବାର ଏୟାର୍ କ୍ୱାଲିଟି ‘ମୋଡରେଟ୍ କ୍ୟାଟୋଗୋରି’ରେ ଥିବା ଉଲ୍ଲେଖ କରିଛି । ଆସନ୍ତା କାଲି ତଥା ମଙ୍ଗଳବାର ସୁଦ୍ଧା ଏହାର ଅବସ୍ଥା ‘ପୁର୍ କ୍ୱାଲିଟି’ ଆଡ଼କୁ ଯାଇପାରେ ବୋଲି କୁହାଯାଇଛି । ଅର୍ଥାତ୍ ପରିବେଶରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବା ଆଶଙ୍କା ରହିଛି । ଏଥିପ୍ରତି ସରକାରଙ୍କ ସମେତ ସାଧାରଣ ଜନତା ସତର୍କ ରହିବା ସମସ୍ତଙ୍କ ପାଇଁ ଭଲ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.