ଗରିବ, ମହିଳା, କିନ୍ନର ଓ ଦିବ୍ୟାଙ୍ଗଙ୍କୁ ମିଳିବ ସିଧାସଳଖ ନିଯୁକ୍ତି; ଆରମ୍ଭ ହେଲା ନୂଆ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସହରାଞ୍ଚଳର ଗରିବ, ସମ୍ବେଦନଶୀଳ ଗୋଷ୍ଠୀ, ମହିଳା, କିନ୍ନର ଓ ଭିନ୍ନକ୍ଷମଙ୍କୁ ମିଳିବ ସିଧାସଳଖ କର୍ମନିଯୁକ୍ତି । ମଝିରେ ରହିବେନି କଣ୍ଟ୍ରାକ୍ଟର କି ଠିକାଦାର । ଏଭଳି ନୂଆ ଯୋଜନା ଆରମ୍ଭ ହୋଇଛି ରାଜ୍ୟରେ । ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’ ଜରିଆରେ ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ଏହା କାର୍ଯ୍ୟକାରୀ ହେବ । ଏହା ପୂର୍ବରୁ ଯୋଜନା ସମ୍ପର୍କରେ ସଚେତନ କରିବାକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ କର୍ମଶାଳାର ଆୟୋଜନ ହୋଇଯାଇଛି ।

ଯୋଜନାର ସଫଳ ରୂପାୟନ ପାଇଁ ଆରମ୍ଭ ହୋଇଛି ହିତାଧିକାରୀଙ୍କ ପ୍ରଶିକ୍ଷଣ କର୍ମଶାଳା । ରାଜ୍ୟରେ ପ୍ରଥମଥର ପାଇଁ ବିଏମ୍ସି ପକ୍ଷରୁ ନର୍ଥ ଯୋନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନେଇ ହୋଇଛି ଏହି କର୍ମଶାଳା । ଏଣିକି ଏହି ଯୋଜନାରେ ହିତାଧିକାରୀଙ୍କୁ ୧୦ଲକ୍ଷ ପର୍ଯ୍ୟନ୍ତ ନିର୍ମାଣ କାମ ପାଇଁ ମିଳିବ ଠିକା । ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦେବାକୁ ରହିବେ ଅଧିକାରୀ । ଯୋଜନା ସଫଳ ରୁପାୟନ ହେଲେ ଲୋକଙ୍କ ଆର୍ôଥକ ସ୍ଥିତିରେ ଆସିବ ସୁଧାର ବୋଲି ଆଶା ରଖାଯାଇଛି । ଏନେଇ ବିଏମସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ ଦେଇଛନ୍ତି ସବିଶେଷ ସୂଚନା ।

ସୂଚନା ଅନୁସାରେ ଭୁବନେଶ୍ୱରରେ ଅଛନ୍ତି ପ୍ରାୟ ୮ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ । ଶନିବାର ପ୍ରଥମ ଦିନରେ ବିଏମସିର ନର୍ଥ ଯୋନରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପ୍ରଶିକ୍ଷଣ । ପୂର୍ବରୁ ଏହି ଗୋଷ୍ଠୀମାନେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଥିଲେ ମଧ୍ୟ ବର୍ତ୍ତମାନ ଏହି ଯୋଜନା ଜରିଆରେ ଅଧିକ କ୍ରିୟାଶୀଳ ହୋଇପାରିବେ । ଏହା ଦ୍ୱାରା କର୍ମନିଯୁକ୍ତି ପାଇବା ସହ ଅଧିକ ସଶକ୍ତ ଓ ଲାଭବାନ ହୋଇପାରିବେ ବୋଲି ଆଶା କରାଯାଉଛି । ପର୍ଯ୍ୟାୟ କ୍ରମେ ବିଏମ୍ସିର ସମସ୍ତ ୩ଟି ଯୋନରେ ଏଭଳି କର୍ମଶାଳାର ଆୟୋଜନ କରାଯିବାକୁ ଲକ୍ଷ୍ୟ ରହିଥିବାବେଳେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସମେତ ଅନ୍ୟ ବର୍ଗର ହିତାଧିକାରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ବୋଲି କହିଛନ୍ତି ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦ । ଏସଏଚଜି ସଦସ୍ୟାଙ୍କୁ ପାନ୍ କାର୍ଡ କିଭଳି କରିବେ ଓ ଆକାଉଣ୍ଟ ସମ୍ପର୍କିତ କିଭଳି ତଦାରଖ କରିବେ ସେନେଇ ସହାୟତା କରାଯିବ । ସେହିପରି ସେମାନେ କିଭଳି ବୈଷୟିକ ଜ୍ଞାନ ହାସଲ କରିବେ ସେନେଇ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ନନ୍ଦ କହିଛନ୍ତି ।

Get real time updates directly on you device, subscribe now.