fbpx

ବିରଳ ସର୍ଜରୀ! ଓଡ଼ିଶାର ଜଣେ ମହିଳାଙ୍କ ଗର୍ଭାଶୟରୁ ଡାକ୍ତର ବାହାର କଲେ ୨୩ଟି ଟ୍ୟୁମର

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଧୁନିକ ଯୁଗରେ ଡାକ୍ତର ହେଉଛନ୍ତି ପ୍ରକୃତ ଭଗବାନ । ଆଜି ଚିକିତ୍ସା ବିଜ୍ଞାନ ଏତେ ଅଗ୍ରଗତି କରିଛି ଯେ ଅନେକ ସମୟରେ ବହୁ ଭୟଙ୍କର ରୋଗରେ ପୀଡ଼ିତ ଥାଇ ଆଧୁନିକ ଅସ୍ତ୍ରୋପଚାର ସହାୟତାରେ ଡାକ୍ତରମାନେ ଅନେକଙ୍କ ଜୀବନ ବଞ୍ଚାଇ ପାରୁଛନ୍ତି । ପୂର୍ବରୁ ଯେଉଁ ରୋଗରେ ପୀଡ଼ିତ ହୋଇ ମଣିଷ ହାତଟେକି ଦେଇ କେବଳ ଈଶ୍ୱରଙ୍କ ଭରସାରେ ରହୁଥିଲା, ଆଜି ତା’ର ଚିକିତ୍ସା ସଫଳତାର ସହ ସମ୍ଭବ ହୋଇ ପାରୁଛି ।

ତେବେ ଏହା ମଧ୍ୟରେ ଏକ ବିରଳ ଅସ୍ତ୍ରୋପଚାର ଦେଖିବାକୁ ମିଳିଛି । ରାଜ୍ୟର ଜଣେ ମହିଳାଙ୍କ ଗର୍ଭାଶୟରୁ ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ୨୩ଟି ଟ୍ୟୁମର ବାହାର କରିଛନ୍ତି । ଛତିଶଗଡ଼ର ରାୟପୁର ସ୍ଥିତ ଅମତାୟାନ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ତେବେ ମହିଳାଙ୍କ ଗର୍ଭାଶୟରୁ ଏତେସଂଖ୍ୟକ ଟ୍ୟୁମର ବାହାର କରାଯିବା ଘଟଣା ସେହି ଅଞ୍ଚଳରେ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ତେବେ ଅସ୍ତ୍ରୋପଚାର କରାଯାଇଥିବା ମହିଳାଙ୍କର ଘର ନୂଆପଡ଼ା ଜିଲ୍ଲାରେ ବୋଲି ଜଣାପଡ଼ିଛି । ଅସ୍ତ୍ରୋପଚାର କରି ଟ୍ୟୁମର ବାହାର କରାଯିବା ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି । ମହିଳା ଜଣଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଆରୋଗ୍ୟ ଲାଭ କରିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଓଡ଼ିଶାରେ ମଧ୍ୟ ଅନେକ ବିରଳ ଅସ୍ତ୍ରୋପଚାର କରାଯାଇଥିବାର ଉଦାହରଣ କରିଛି । ଗତମାସରେ ରାଜ୍ୟରେ ପ୍ରଥମ ଥର ପାଇଁ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ ହୋଇଥିଲା । ସୂଚନାଯୋଗ୍ୟ ଯେ, ଗତ ମାସ ୨୦ ତାରିଖରେ ରାଜସ୍ଥାନର ଜଣେ ୬୮ ବର୍ଷୀୟ ମହିଳାଙ୍କ ପେଟରୁ ୧୬ କେଜିର ଏକ ଟ୍ୟୁମର ଡାକ୍ତର ସର୍ଜରୀ ମାଧ୍ୟମରେ ବାହାର କରିଥିଲେ ।

Get real time updates directly on you device, subscribe now.