fbpx

ନାଗ ସହ ଲଢ଼ିଲା କୁକୁର: ଘମାଘୋଟ ଲଢ଼େଇରେ ନାଗ ମଲା, ବଞ୍ଚିଗଲେ ଘର ମାଲିକ

ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ୱରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ଏକ ଭୟଙ୍କର ନାଗକୁ ରୋକିବାରେ ସକ୍ଷମ ହୋଇଛି ବଫାଦାର କୁକୁର । କୁକୁରଟି ନିଜ ଜୀବନକୁ ବାଜିରେ ଲଗାଇ ନାଗ ସହ ଲଢ଼ି ନାଗର ମେରୁଦଣ୍ଡକୁ ଭାଙ୍ଗିଦେଇଥିଲା । ଆହତ ଅବସ୍ଥାରେ ନାଗଟିକୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତା’ର ମୃତ୍ୟୁ ଘଟିଥିଲା ।

ଜଣାପଡ଼ିଛି ଯେ, ଗତକାଲି ସନ୍ଧ୍ୟାରେ ସୁନ୍ଦରପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘର ଆଡ଼କୁ ଏକ ୩ ଫୁଟ ଲମ୍ବର ନାଗ ପଶିବାକୁ ଉଦ୍ୟତ ହେଉଥିଲା । ଏହି ସମୟରେ ଅଗଣାରେ ଥିବା ଏକ ଡୋବରମ୍ୟାନ୍ କୁକୁର ‘କାଳୀ’ ନାଗକୁ ବାଟ ଛାଡ଼ି ନଥିଲା । ପରେ ଦୁହିଁଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ନାଗଟି କାମୁଡ଼ିବାକୁ ଉଦ୍ୟମ କରୁଥିବା ବେଳେ କୁକୁରଟି ନାଗର ମଝିଭାଗକୁ କାମୁଡ଼ି ଦୂରକୁ ଫୋପାଡ଼ି ଦେଇଥିଲା । କୁକୁର ଆକ୍ରମଣରେ ଆହତ ହୋଇ ସାପଟି ଆଉ ଚାଲି ପାରିନଥିଲା । ପରେ ଘର ମାଲିକ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ନେକ ହେଲପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ କରିଥିଲେ । ଏହାପରେ ଶୁଭେନ୍ଦୁ ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ନାଗ ଓ କୁକୁର ମଧ୍ୟରେ ଲଢ଼େଇ ହୋଇଥିବାରୁ କାଳେ ସାପଟି କୁକୁରକୁ କାମୁଡ଼ିଥିବ, ତେଣୁ କୁକୁରଠାରେ କୌଣସି ଅସ୍ୱାଭାବିକ ପରିବର୍ତ୍ତନ ଦେଖିଲେ ତୁରନ୍ତ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରିବାକୁ ଶୁଭେନ୍ଦୁ ପରାମର୍ଶ ଦେଇଥିଲେ । ତେବେ କୁକୁରଟି ସଂଘର୍ଷ କରି ଘର ମାଲିକଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଥିବାରୁ ସମସ୍ତେ ତା’ର ଏହି ବିଶ୍ୱସନୀୟ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।

 

 

Get real time updates directly on you device, subscribe now.