fbpx

Don’t Panic Bengaluru… ସହରରେ ଯଥେଷ୍ଟ ପାଣି ମହଜୁଦ ରହିଛି, ଜୁଲାଇ ପର୍ଯ୍ୟନ୍ତ ହେବନି ସମସ୍ୟା

ବେଙ୍ଗଲୁରୁ: କର୍ଣ୍ଣାଟକର ବେଙ୍ଗଲୁରୁ ସହରରେ ଜଳ ସଂକଟକୁ ନେଇ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାମଧ୍ୟରେ ବେଙ୍ଗଲୁରୁ ୱାଟର ସପ୍ଲାଏ ଆଣ୍ଡ ସ୍ୱେରେଜ ବୋର୍ଡ(BWSSB) ପକ୍ଷରୁ ଏକ ବଡ଼ ବୟାନ ଜାରି କରାଯାଇଛି । ବୋର୍ଡ ଚେୟାରମ୍ୟାନ୍ ରାମପ୍ରସାଦ ମନୋହର କହିଛନ୍ତି ଯେ, ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ସହର ଏବଂ ବାହାରେ ଜଳଯୋଗାଣ ପାଇଁ ବୋର୍ଡ ନିକଟରେ ଯଥେଷ୍ଟ ପାଣି ମହଜୁଦ ରହିଛି । ଭାରତର ସିଲିକନ୍ ସିଟି କୁହାଯାଉଥିବା ବେଙ୍ଗଲୁରୁ ସହର ନିକଟ ଭବିଷ୍ୟତରେ ପାନୀୟ ଜଳ ସଂକଟକୁ ସାମନା କରିବା ନେଇ ଆଶଙ୍କା କରାଯାଉଥିବା ବେଳେ ବୋର୍ଡ ପକ୍ଷରୁ ଏଭଳି ଏକ ସ୍ପଷ୍ଟୀକରଣ ଦିଆଯାଇଛି ।

ବୋର୍ଡ ଚେୟାରମ୍ୟାନ୍ ମନୋହର କହିଛନ୍ତି ଯେ, ସହରବାସୀଙ୍କୁ ଜଳ ସଂକଟ ପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ପ୍ରତିଦିନ ସମଗ୍ର ସହରରେ ୧,୪୭୦MLD ଜଳ ଯୋଗାଣ ହେଉଥିବା ବୋର୍ଡ ସୂଚନା ଦେଇଛି । ଏହାବ୍ୟତୀତ ମେ’ ୧୫ ତାରିଖରେ କାଉଭେରୀର ପଞ୍ଚମ ପର୍ଯ୍ୟାୟ ପ୍ରକଳ୍ପ କମିଶନ ପରେ ବେଙ୍ଗଲୁରୁକୁ ଅଧିକ ୭୭୫MLD ଜଳ ମିଳିପାରିବ ବୋଲି କହିଛନ୍ତି ମନୋହର । ତେବେ ସହର ଏବଂ ଏହାର ବାହାରେ ବର୍ତ୍ତମାନ ୨୧୦୦MLD ଜଳ ଆବଶ୍ୟକ କରୁଛି । ତେବେ ମନୋହରଙ୍କ ସୂଚନା ଅନୁଯାୟୀ, ସହର ବାହାରେ ରହୁଥିବା ଲୋକମାନେ ପ୍ରାୟତଃ ବୋରୱେଲ ପାଣି ଉପରେ ନିର୍ଭର କରିଥାନ୍ତି । ଅଧିକାଂଶ ଜଳାଶୟ ଶୁକି ଯାଇଥିବାରୁ ସାଧାରଣ ଲୋକେ ଏଥିରେ ପ୍ରଭାବିତ ହେଉଛନ୍ତି । କିନ୍ତୁ କାଉଭେରୀ ବେସିନର ୪ଟି ଡ୍ୟାମ ଏହି ଆବଶ୍ୟକ ପୂରଣ କରିବା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ଚେୟାରମ୍ୟାନ୍ ରାମପ୍ରସାଦ ମନୋହର ।

ପାନୀୟ ଜଳ ସଞ୍ଚୟ କରିବା ପାଇଁ ବିଶୋଧିତ ଜଳକୁ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିବାକୁ ସହରର ଉପକଣ୍ଠରେ ରହୁଥିବା ଲୋକଙ୍କୁ ବୋର୍ଡ ଅପିଲ କରିଛି। ରାମପ୍ରସାଦ ମନୋହର କହିଛନ୍ତି ଯେ, ଏହାବ୍ୟତୀତ ସହରର ହ୍ରଦଗୁଡ଼ିକୁ ବିଶୋଧିତ ଜଳରେ ଭରିବା ପାଇଁ ବୋର୍ଡ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରିବ। ସେହିପରି ୨୦୦ ଟି ନୂଆ ବୋରୱେଲ ଖୋଳିବା ପାଇଁ ବୋର୍ଡ ତରଫରୁ ଗ୍ରୀନ ସିଗନାଲ ମିଳିପାରିଛି । କାଉଭର ପଞ୍ଚମ ପର୍ୟ୍ୟାୟ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଥିବାରୁ ସହରର ୧୧୦ ଟି ଗାଁକୁ କେବଳ ୪୦,୦୦୦ BWSSB ଜଳ ସଂଯୋଗ ଯୋଗାଇ ଦିଆଯାଇପାରିବ । ଏହି ସମସ୍ୟାର ସମାଧାନ ପାଇଁ, ଅଞ୍ଚଳକୁ ମାଗଣା ଜଳ ପହଞ୍ଚାଇବା ପାଇଁ ୭୯ ଟ୍ୟାଙ୍କର୍ ସଂଗ୍ରହ କରିଥିବା କହିଛନ୍ତି ବୋର୍ଡ ଚେୟାରମ୍ୟାନ୍ ରାମପ୍ରସାଦ ମନୋହର ।

Get real time updates directly on you device, subscribe now.