fbpx

T-20 WC; ଇନିଂସ ଆରମ୍ଭରୁ ଡବଲ ଝଟକା: ପ୍ରଥମ ଓଭରର ଦୁଇଟି ବଲରେ ୨ଟି ୱିକେଟ ହାସଲ କରି ଲେଖିଲେ ଇତିହାସ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଦେଖିବାକୁ ମିଳିଛି ବିଶ୍ୱସ୍ତରୀୟ ପ୍ରଦର୍ଶନ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ହିଁ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳୁଛି । ବିଶ୍ୱକପର ଦ୍ୱିତୀୟ ଦିନରେ ଆଜି ଓମାନ ବିପକ୍ଷରେ ଦମଦାର ବୋଲିଂ କରିଛି ନାମିବିଆ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଓମାନ୍ । କିନ୍ତୁ ଦଳର ଷ୍ଟାର ବୋଲର ରୁବେନ୍ ଟ୍ରମ୍ପେଲମ୍ୟାନଙ୍କ ଘାତକ ବୋଲିଂରେ ବେସାହାରା ପାଲଟି ଯାଇଛି ଓମାନ୍ । ଟ୍ରମ୍ପେଲମ୍ୟାନ ଏବଂ ଡାଭିଡ ୱିଜିଙ୍କ ଦମଦାର ବୋଲିଂ ବିପକ୍ଷରେ ଓମାନ ମାତ୍ର ୧୦୯ ରନରେ ଅଲଆଉଟ ହୋଇଯାଇଛି ।

ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ନାମିବିଆ ଅଧିନାୟକ ଗେରହାର୍ଡ ଇରାସ୍ମସ । ତାଙ୍କର ଏହି ନିଷ୍ପତ୍ତିକୁ ଦଳର ଷ୍ଟାର ବୋଲର ଠିକ ବୋଲି ମଧ୍ୟ ସାବ୍ୟସ୍ତ କରିଛନ୍ତି । ଇନିଂସର ପ୍ରଥମ ୨ଟି ବଲରୁ ହିଁ ୨ଟି ୱିକେଟ ହାସଲ କରି ବିପକ୍ଷ ଦଳକୁ କଡ଼ା ଚାଲେଞ୍ଜ ଦେଇଛନ୍ତି ରୁବେନ୍ ଟ୍ରମ୍ପେଲମ୍ୟାନ । ଇନିଂସର ପ୍ରଥମ ବଲରେ ଓମାନର ଓପନର କାଶ୍ୟପ ପ୍ରଜାପତିଙ୍କୁ ଆଉଟ କରିଥିବା ବେଳେ ଦ୍ୱିତୀୟ ବଲରେ ଅଧିନାୟକ ଆକିବ ଇଲିୟାସଙ୍କୁ ସେ ପାଭିଲିୟନ ରାସ୍ତା ଦେଖାଇଥିଲେ । ତେବେ ଏଭଳି ଦମଦାର ଆରମ୍ଭ ପରେ ଏକ ବଡ଼ ସ୍କୋର କରିବାରେ ଫେଲ ମାରିଛି ଓମାନ୍ । ୧୯.୪ ଓଭରରେ ମାତ୍ର ୧୦୯ ରନ୍ କରି ଅଲ ଆଉଟ ହୋଇଛି ସମ୍ପୂର୍ଣ୍ଣ ଟିମ୍ ।

ତେବେ ଏହି ୱିକେଟ ସହ ବିଶ୍ୱକପରେ ରେକର୍ଡ ସୃଷ୍ଟି କରିଛନ୍ତି ରୁବେନ୍ ଟ୍ରମ୍ପେଲମ୍ୟାନ । ଏହାସହିତ ଟି-୨୦ ବିଶ୍ୱକପରେ ପ୍ରଥମ ୨ ବଲରେ ୨ଟି ସଫଳତା ପାଇଥିବା ପ୍ରଥମ ନାମିବିଆ ବୋଲର ପାଲଟିଛନ୍ତି । ଏହାସହିତ ଟି-୨୦ ବିଶ୍ୱକପରେ ମଧ୍ୟ ଏହି କାରନାମା କରିଥିବା ପ୍ରଥମ ବୋଲର ପାଲଟିଛନ୍ତି ରୁବେନ୍ ଟ୍ରମ୍ପେଲମ୍ୟାନ । ତେବେ ଏହି ମ୍ୟାଚରେ ସେ ମୋଟ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ଡାଭିଡ ୱିଜି ୩ଟି ସଫଳତା ପାଇଛନ୍ତି । ସେହିପରି ଅଧିନାୟକ ଗେରହାର୍ଡ ଇରାସ୍ମସ ୨ ଏବଂ ବର୍ଣ୍ଣାଡ ସ୍କଟଜ ଗୋଟିଏ ସଫଳତା ହାସଲ କରିଛନ୍ତି । ତେବେ ବିପକ୍ଷ ଦଳରୁ ଖଲିଦ କୈଲ ସର୍ବାଧିକ ୩୪ ରନ୍ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.