fbpx

ଚୀନ ଭାରତ ପାଇଁ ସବୁଠାରୁ ବଡ଼ ବିପଦ: ସିଡିଏସ ବିପିନ ରାୱତ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ବିବାଦ ମଧ୍ୟରେ ଭାରତର ଚିଫ୍ ଅଫ ଡିଫେନ୍ସ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ଚୀନ ଦେଶର ସୁରକ୍ଷା ପାଇଁ ବଡ଼ ବିପଦ ପାଲଟିଛି । ସିଡିଏସ କହିଛନ୍ତି ବର୍ତ୍ତମାନର ଚାଲେଞ୍ଜ ମଧ୍ୟରେ ଗତ ବର୍ଷ ସୀମା ସୁରକ୍ଷା ପାଇଁ ପଠାଯାଇଥିବା ହଜାର ହଜାର ସୈନିକ ଏବଂ ଉପକରଣ ଲମ୍ବା ସମୟରୁ ଏପର୍ଯ୍ୟନ୍ତ ବେସ୍ କ୍ୟାମ୍ପକୁ ଫେରିନାହାଁନ୍ତି ।

ସିଡିଏସ କହିଛନ୍ତି ବିଶ୍ୱାସର ଅଭାବ ଏବଂ ସନ୍ଦେହ କାରଣରୁ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ସୁଧୁରିନାହିଁ । ସୂଚନାଯୋଗ୍ୟ, ଗତମାସରେ ୧୩ତମ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଛି । ଏହାପରେ ମଧ୍ୟ କିଛି ସୁଫଳ ମିଳିନାହିଁ । ଉଭୟ ପକ୍ଷ ଏହି କଥାରେ ସହମତ ହୋଇପାରୁନାହାନ୍ତି କିଭଳି ସୀମାରୁ ସେନାକୁ ପଛକୁ ହଟାଯିବ ।

ସୂଚନାଯୋଗ୍ୟ, ଗତ ବର୍ଷ ଜୁନ ମାସରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ବିବାଦ ହୋଇଥିଲା ଯେଉଁଥିରେ ୨୦ ଭାରତୀୟ ଯବାନ ସହୀଦ ହୋଇଥିଲେ । ଅନେକ ଚୀନ ସୈନିକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଏହା ପରଠାରୁ ଚୀନ ସୈନିକଙ୍କ ଦ୍ୱାରା ସୀମାରେ ବାରମ୍ବାର ଅନୁପ୍ରବେଶ କରାଯାଉଛି । ଏହା ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଏମ ଏମ ନରୱାଣେ ସୀମାରେ ଚୀନର ବିସ୍ତାରକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ।

ସିଡିଏସ ବିପିନ ରାୱତ କହିଛନ୍ତି ଲଦାଖରେ ଏଲଏସିଠାରେ ହୋଇଥିବା ଏହି ସଂଘର୍ଷ ପରେଠାରୁ ଚୀନ ଏବଂ ଭାରତ ସୀମାରେ ସୈନିକ, ହତିଆର ଏବଂ ଅନ୍ୟାନ୍ୟ ପ୍ରସ୍ତୁତି ବଢ଼ାଇବାରେ ଲାଗିଛନ୍ତି । ସେ ଆହୁରି କହିଛନ୍ତି ଏହି ସ୍ଥିତିରେ ଭାରତ ସୀମା ଏବଂ ସମୁଦ୍ରରେ ଚୀନର କୌଣସି ଦୁଃସାହସଠାରୁ ଳଢ଼ିବା ପାଇଁ ଭାରତ ପ୍ରସ୍ତୁତ ଅଛି । ଭାରତ ସିଡିଏସ ଏହି କଥା ଏମିତି ସମୟରେ କହିଛନ୍ତି ଯେତେବେଳେ ବିଦେଶ ମନ୍ତ୍ରାଳୟ ବିବାଦୀୟ କ୍ଷେତ୍ରରେ ଚୀନର ନିର୍ମାଣ ଉପରେ ଆଲୋଚନା କରିଛନ୍ତି ।

 

Get real time updates directly on you device, subscribe now.