fbpx

Bonus ରାଶି ନେବାକୁ ମନା କଲେ ଦ୍ରାବିଡ: BCCIର ଅଫର ଛାଡ଼ି ହୃଦୟ ଜିତିଲେ ଦ୍ରାବିଡ

Advertisement

ନୂଆଦିଲ୍ଲୀ: କୋଚ୍ ରାହୁଲ ଦ୍ରାବିଡଙ୍କ ଅଧୀନରେ ଭାରତ ଟି-୨୦ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି । ତେବେ ଏହାପରେ ଏହି ପଦରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କୋଚ୍ ଭାବରେ ନିୟୋଜିତ କରିଛି ବିସିସିଆଇ । ଏହାପରେ ରାହୁଲ ଦ୍ରାବିଡଙ୍କ ଆଉ ଏକ ନିଷ୍ପତ୍ତି ସମସ୍ତଙ୍କ ହୃଦୟ ଜିତି ନେଇଛି । ଭାରତୀୟ କ୍ରିକେଟ ବୋର୍ଡ ତରଫରୁ ବିଶ୍ୱକପ ବିଜୟୀ ଦଳକୁ ମିଳିଥିବା ବୋନସ ଟଙ୍କା ନେବା ପାଇଁ ମନା କରି ଦେଇଛନ୍ତି କୋଚ୍ ରାହୁଲ ଦ୍ରାବିଡ । ଅନ୍ୟ ଷ୍ଟାଫ କୋଚଙ୍କ ଅନୁସାରେ ସେ ମଧ୍ୟ ସମାନ ଟଙ୍କା ନେବାକୁ ଦ୍ରାବିଡ ନିଷ୍ପତ୍ତି ନେଇଛନ୍ତି ।

ରିପୋର୍ଟ ଅନୁସାରେ, କ୍ରିକେଟରେ ରାହୁଲ ଦ୍ରାବିଡଙ୍କୁ ‘ଜେଣ୍ଟଲମ୍ୟାନ୍’ ବୋଲି ଆଖ୍ୟା ଦିଆଯାଇଛି । ଯାହାର ଆଉ ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି । ବିଶ୍ୱବିଜୟୀ ଭାରତୀୟ ଟିମକୁ ବିସିସିଆଇ ତରଫରୁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । କିନ୍ତୁ ଦ୍ରାବିଡଙ୍କୁ ମିଳିବାକୁ ଥିବା ରାଶିର ଅଧା ଟଙ୍କା ନେବା ପାଇଁ ମନା କରିଛନ୍ତି । ଚମ୍ପିଆନ୍ ଦଳର ମୁଖ୍ୟ କୋଚ୍ ଭାବରେ ରାହୁଲ ଦ୍ରାବିଡଙ୍କୁ ୫ କୋଟି ଟଙ୍କା ପୁରସ୍କାର ରାଶି ଭାବରେ ପ୍ରଦାନ କରାଯାଇଥିଲା । ତେବେ ଅନ୍ୟ ସପୋର୍ଟ କୋଚମାନଙ୍କୁ ୨.୫ କୋଟି ପ୍ରଦାନ କରାଯାଇଥିଲା । ତେଣୁ ସେ ଦଳର ଅନ୍ୟ କୋଚମାନଙ୍କ ପରି ୨.୫ କୋଟି ଟଙ୍କା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ତାତ୍ ନିଜ ସହଯୋଗୀ କୋଚଙ୍କ ପରି ସେ ମଧ୍ୟ ପୁରସ୍କାର ରାଶି ବାବଦକୁ ୨.୫ କୋଟି ଟଙ୍କା ରଖିଛନ୍ତି ।

ରିପୋର୍ଟ ଅନୁସାରେ, ବିସିସିଆଇ ତରଫରୁ ଜାଣିବାକୁ ମିଳିଛି ଯେ, ଯିମ ଇଣ୍ଡିଆର ସହଯୋଗୀ କୋଚମାନଙ୍କୁ ମିଳିଥିବା ବୋନସ ରାଶି ତୁଳନାରେ ଦ୍ରାବିଡ ମଧ୍ୟ ସମାନ ଟଙ୍କା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଦ୍ରାବିଡଙ୍କ ଏହି ନିଷ୍ପତ୍ତିକୁ ବିସିସିଆଇ ମଧ୍ୟ ସମ୍ମାନ ଜଣାଇଛି । ଏହାପୂର୍ବରୁ ଅଣ୍ଡର-୧୯ ବିଶ୍ୱକପ ବିଜୟ ସମୟରେ ମଧ୍ୟ ଏହି ନିଷ୍ପତ୍ତି ନେଇଥିଲେ ରାହୁଲ ଦ୍ରାବିଡ । ଭାରତ ଅଣ୍ଡର-୧୯ ବିଶ୍ୱକପ ଜିତିବାରୁ ବୋର୍ଡ ପକ୍ଷରୁ ଦ୍ରାବିଡଙ୍କୁ କୋଚ୍ ଭାବରେ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବାର ଥିଲା । କିନ୍ତୁ ଦ୍ରାବିଡ ଏହାକୁ ମନା କରି ଅନ୍ୟ ସଦସ୍ୟଙ୍କ ସହ ୨୫ ଲକ୍ଷ ଟଙ୍କା ହିଁ ଗ୍ରହଣ କରିଥିଲେ । ଏହାପରେ ବିସିସିଆଇ ନଗଦ ପୁରସ୍କାର ରାଶିରେ ସଂଶୋଧନ କରିଛି ।

Get real time updates directly on you device, subscribe now.