ବଂଶ ବୁଡ଼ାଇଦେଲା ମଦ… ଲୁହା କଡେଇରେ ସ୍ତ୍ରୀ, ପିଲାଙ୍କୁ ହତ୍ୟା କଲା ସୈତାନ ବାପା

ଝଗଡ଼ାକୁ କେନ୍ଦ୍ର କରି ସ୍ୱାମୀ ପାଲଟିଲା ରାକ୍ଷସ । ୫ ବର୍ଷର ପୁଅକୁ ବି ଛାଡ଼ିଲା ନାହିଁ ।

ରାୟପୁର: ଝାରଖଣ୍ଡରୁ ଏକ ଲୋକହର୍ଷଣକାରୀ ହତ୍ୟାକାଣ୍ଡ ଏବେ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ହାତରେ ନିଜ ବଂଶ ଉଜାଡ଼ି ଦେଇଛି । ଝାରଖଣ୍ଡ ସରାଇକେଲା ଜିଲ୍ଲାରେ ଘଟିଯାଇଛି ଏ ପ୍ରକାର ଅଭାବନୀୟ ଘଟଣା ।

ସରାଇକେଲା ଜିଲ୍ଲା କାପାଲି ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ୫ ବର୍ଷର ପୁଅକୁ କଡେଇରେ ପିଟି ହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଘରୋଇ କଳି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ହତ୍ୟାକାରୀ ସୁଖରାମ ଜଣେ ପେଶାଦାର ମଦ୍ୟପ । ପ୍ରତ୍ୟେକ ଦିନ ସେ ମଦପିଇ ଘରକୁ ଫେରନ୍ତି । ଘଟଣା ଦିନ କୌଣସି କାରଣରୁ ସୁଖରାମ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ସୋମବାର ଦିନ ସକାଳେ ପଡ଼ୋଶୀମାନେ ମାଏ ଛୁଆଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣାର ସୂଚନା ପାଇ ପୋଲିସ ସୁଖରାମଙ୍କ ଘରେ ପହଞ୍ଚିଥିଲା ।

ହତ୍ୟାକାରୀ ସୁଖରାମ ଘଟଣାସ୍ଥଳରୁ ଫେରାର୍ ହେବାକୁ ଚାହୁଁଥିବାବେଳେ ପୋଲିସ ତାକୁ କାବୁ କରି ନେଇଥିଲା । ଲୁହା କଡ଼େଇରେ ମୁଣ୍ଡକୁ ମାରି ଆହତ କରିବା ପରେ ବ୍ଲେଡରେ ସେମାନଙ୍କ ତଣ୍ଟି କାଟି ଥିବା ପୋଲିସ କହିଛି ।
ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।