fbpx

ନିର୍ବାଚନ କମିଶନଙ୍କ ରିପୋର୍ଟ: ୫ଟି ରାଜ୍ୟରେ ବିଜେପି ଠାରୁ ଅଧିକ ଭୋଟ ପାଇଛି କଂଗ୍ରେସ, ୨୦୨୪ ପୂର୍ବରୁ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିବା ବେଳେ ବିଜେପି ୩ଟି ରାଜ୍ୟରେ ବହୁମତ ହାସଲ କରିଛି । ଅନ୍ୟପକ୍ଷରେ କଂଗ୍ରେସ ୧୧୯ଟି ଆସନ ମଧ୍ୟରୁ ୬୪ଟି ରେ ଜିତି ତେଲେଙ୍ଗାନାରେ ସରକାର ଗଠନ କରିଛି । ବିଜେପି ମଧ୍ୟପ୍ରଦେଶର ୨୩୦ଟି ଆସନରୁ ୧୬୩ଟିରେ, ରାଜସ୍ଥାନର ୧୯୯ଟି ଆସନରୁ ୧୧୫ଟିରେ ଓ ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ ୫୪ଟିରେ ଜିତିଛି ।

ତେବେ ୩ଟି ରାଜ୍ୟରେ ବିଜୟ ହାସଲ କରିବା ପରେ ଏବେ ବିଜେପିର ଟେନସନ ବଢ଼ିଯାଇଛି । କେଉଁ ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତାହାକୁ ନେଇ ଏବେ କେନ୍ଦ୍ରୀୟ ନେତୃତ୍ୱ ଅଙ୍କ କଷୁଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବାରୁ କାହାକୁ ପ୍ରାର୍ଥୀ କଲେ ଦଳକୁ ଫାଇଦା ମିଳିବା ତା’ ଉପରେ ଦଳ ଏବେ ଫୋକସ୍ କରୁଛି । ଚଳିତ ନିର୍ବାଚନର ଫଳାଫଳ ଦଳକୁ ଯେତିକି ଖୁସି ସେତିକି ଚିନ୍ତା ବଢ଼ାଇ ଦେଇଛି ।

ତେବେ ଏହି ଫଳାଫଳ ମଧ୍ୟରେ ନିର୍ବାଚନ କମିଶନଙ୍କ ରିପୋର୍ଟ ସଭିଙ୍କୁ ଚକିତ କରିଦେଇଛି । ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିଠାରୁ କଂଗ୍ରେସ ୧୦.୫୫ ଲକ୍ଷ ଅଧିକ ଭୋଟ ପାଇଛି । ରାଜ୍ୟୱାରୀ ପରିସଂଖ୍ୟାନ ଅନୁଯାୟୀ, ମଧ୍ୟପ୍ରଦେଶରେ କଂଗ୍ରେସ ବିଜେପି ଠାରୁ ୮ ପ୍ରତିଶତ, ରାଜସ୍ଥାନରେ ୨ ପ୍ରତିଶତ ଓ ଛତିଶଗଡ଼ରେ ୪ ପ୍ରତିଶତ କମ୍ ଭୋଟ ପାଇଛି । ଏହି ୩ ରାଜ୍ୟରେ କଂଗ୍ରେସ ଅପେକ୍ଷା ବିଜେପି ପାଖାପାଖି ୫୦ ଲକ୍ଷ ଅଧିକ ଭୋଟ ପାଇଛି । ଅନ୍ୟପକ୍ଷରେ ତେଲେଙ୍ଗାନା ଓ ମିଜୋରାମରେ କଂଗ୍ରେସ ବିଜେପି ଅପେକ୍ଷା ଅଧିକ ଭୋଟ ପାଇଛି ।

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ୪ଟି ରାଜ୍ୟରେ ମୋଟ ୮୩ଟି ଲୋକସଭା ଆସନ ରହିଥିବା ବେଳେ ୨୦୧୯ରେ ବିଜେପି ୬୫ଟି ଆସନରେ ଜିତିଥିଲା । କେବଳ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ୬୫ଟି ଆସନରୁ ଦଳ ୬୧ଟିରେ ଜିତିଥିଲା । ତେବେ ବର୍ତ୍ତମାନର ଫଳାଫଳ ଯଦି ଆଗାମୀ ନିର୍ବାଚନରେ ପ୍ରତିଫଳିତ ହୁଏ, ତେବେ ୨୦୧୯ରେ ୪ଟି ରାଜ୍ୟରେ ମାତ୍ର ୬ଟି ଆସନରେ ଜିତିଥିବା କଂଗ୍ରେସର ସିଟ୍ ସଂଖ୍ୟା ୨୦କୁ ଟପିପାରେ । ଏପରି ସ୍ଥିତିରେ ବିଜେପିର ସିଟ୍ ସଂଖ୍ୟା ୪୫କୁ ଖସିପାରେ ବୋଲି ରାଜନୈତିକ ବିଶାରଦମାନେ ଆକଳନ କରିଛନ୍ତି ।

ସେହିପରି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ବହୁ ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଓହ୍ଲାଇଥିଲା । ୨୧ ଜଣ ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ପରାଜୟ ବରଣ କରିଛନ୍ତି । ମଧ୍ୟପ୍ରଦେଶରେ ୨ ଜଣ, ରାଜସ୍ଥାନରେ ୩ ଜଣ, ଛତିଶଗଡ଼ରେ ଜଣେ ଓ ତେଲେଙ୍ଗାନାରେ ୩ ଜଣ ବିଜେପି ସାଂସଦ ପରାସ୍ତ ହୋଇଛନ୍ତି । ୨ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ପରାସ୍ତ ହୋଇଛନ୍ତି । ସାଧାରଣ ଭାବେ ବିଧାନସଭା ନିର୍ବାଚନର ଫଳାଫଳ ସବୁ ସମୟରେ ଲୋକସଭା ନିର୍ବାଚନରେ ପ୍ରତିଫଳିତ ହୋଇନଥାଏ ।

୨୦୧୮ରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ପରାସ୍ତ ହୋଇଥିଲେ ହେଁ ଲୋକସଭାରେ ୬୫ରୁ ୬୧ଟି ଆସନରେ ବିଜୟୀ ହୋଇଥିଲା । ଏହି ୩ଟି ରାଜ୍ୟର ବିଧାନସଭା ନିର୍ବାନରେ କଂଗ୍ରେସ ପରାସ୍ତ ହୋଇଥିଲେ ହେଁ ୨୦୦୪ ଲୋକସଭା ନିର୍ବାଚନରେ ଦଳ ଅଚାନକ କମାଲ କରି ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟର ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ହ୍ୟାଟ୍ରିକ ବୋଲି କହିଥିଲେ ହେଁ ଦଳର ଅନେକ ତୁଙ୍ଗ ନେତାଙ୍କ ପରାଜୟ ଦଳର ଚିନ୍ତାର କାରଣ ପାଲଟିଛି । ତେଣୁ ଦଳ ଦେଖି ଚାହିଁ ଗୋଟି ଚାଳନା କରି ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ବାଛିବ ।

Get real time updates directly on you device, subscribe now.