fbpx

ଇକୋ-ଫ୍ରେଣ୍ଡଲି, ଲକ୍ଷାଧିକ ପତ୍ରରେ ପ୍ରଭୁ ଗଜାନନ

ଭୁବନେଶ୍ୱର(ଓଡିଶା ଭାସ୍କର): ପ୍ରତିଟି ପୂଜା ପାର୍ବଣରେ କିଛି ନା କିଛି ପରିବେଶ ସଂରକ୍ଷଣର ବାର୍ତ୍ତା ଦେଇ ଲୋକଙ୍କ ନିକଟରେ ପହଞ୍ଚଥାନ୍ତି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ । ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ଶ୍ରୀ ସାହୁ ଚଳିତ ଗଣେଶ ଚତୁର୍ଥୀରେ ଏକ ନିଆରା ଶୈଳୀରେ ପରିବେଶ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି । ଜନସାଧାରଣଙ୍କୁ କିଭଳି ପ୍ରକୃତି ପ୍ରେମର ବାର୍ତ୍ତା ଦିଆଯିବ ସେ ନେଇ କୃଷ୍ଣଚୂଡ଼ା ପତ୍ରରେ ବିଘ୍ନ ବିନାଶକଙ୍କୁ ସ୍ଥାପନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ପାଖାପାଖି ଏକଲକ୍ଷରୁ ଅଧିକ ପତ୍ରକୁ ସେ ଏଥିରେ ବ୍ୟବହାର କରିଛନ୍ତି । ଏଥିରେ କୌଣସି ପ୍ଲାଷ୍ଟିକ, ପଲିଥିନ୍ ବା ରାସାୟନିକ ରଙ୍ଗକୁ ବ୍ୟବହାର କରାଯାଇ ନାହିଁ । ଏହା ପୂଜା ପରେ ଏହି ପତ୍ରଗୁଡ଼ିକୁ ଗ୍ରୀନ୍ କମ୍ପୋଷ୍ଟ ଅର୍ଥାତ୍ ଜୈବିକ ସାରରେ ରୂପାନ୍ତରିତ ହୋଇପାରିବ । ପରିବେଶକୁ ସବୁଜ, ସୁନ୍ଦର କରିବାରେ ବେଶ୍ ସହାୟକ ହୋଇପାରିବ ।

ପ୍ରାକୃତିକ ସଂସାଧନରେ ପ୍ରସ୍ତୁତ ହୋଇଥିବା ବିଘ୍ନ ବିନାଶକଙ୍କୁ ବିସର୍ଜନ ପରେ ନଦୀ, ନାଳ ଓ ଜଳାଶୟକୁ ପ୍ରଦୂଷିତ କରିବ ନାହିଁ, ବରଂ ମାଟିର ଉର୍ବରତା ବୃଦ୍ଧି ସହ ଜୈବିକ ସାର ସୃଷ୍ଟିରେ ବେଶ୍ ସହାୟକ ହୋଇପାରିବ । ପର୍ଯ୍ୟାବରଣକୁ କ୍ଷତି ନ ପହଞ୍ଚାଇବା ନିମନ୍ତେ ପୂଜା ପାର୍ବଣ ଗୁଡ଼ିକ ପରିବେଶଧର୍ମୀ ହେବା ନିତାନ୍ତ ଜରୁରୀ ବୋଲି ଶ୍ରୀ ସାହୁ ଏହି ପରିପ୍ରେକ୍ଷୀରେ କହିଛନ୍ତି ।

Get real time updates directly on you device, subscribe now.