fbpx

ବଦଳିଲା ଭାଗ୍ୟ: ଦିନେ ରାସ୍ତାକଡ଼ରେ ବିକୁଥିଲେ ଅଣ୍ଡା, ଏବେ ବୁଲିବେ ସରକାରୀ ଗାଡ଼ିରେ

ନୂଆଦିଲ୍ଲୀ: ଜଣେ ଅଣ୍ଡା ବିକାଳିଙ୍କ ମୁଣ୍ଡରେ ବିଧାତା ସୁନା କଳସ ଢାଳିଛି । ବିହାରର ଜଣେ ଅଣ୍ଡା ବିକାଳି ରାଜ୍ୟ ପ୍ରଶାସନିକ ଅଧିକାରୀ ହୋଇଛନ୍ତି । ପିତୃମାତୃହୀନ ବିରେନ୍ଦ୍ର କୁମାର ଦାରିଦ୍ର୍ୟର କଷାଘାତକୁ ଖାତିର ନକରି ଆଜି ସଫଳତାର ସିଡ଼ିକୁ ସ୍ପର୍ଶ କରିଛନ୍ତି । ନିଜର ଧୈର୍ଯ୍ୟ, କଠୋର ପରିଶ୍ରମ ବଳରେ ଜଣେ ଅସମ୍ଭବକୁ ସମ୍ଭବ କରିପାରିବ, ଏକଥା ପ୍ରମାଣ କରି ଦେଖାଇଛନ୍ତି ବିରେନ୍ଦ୍ର ।

ବିହାରର ଔରଙ୍ଗାବାଦର ଏକ ଛୋଟିଆ ଗାଁରେ ରହୁଥିଲେ ବିରେନ୍ଦ୍ର । ପରେ ଘରର ପରିସ୍ଥିତିକୁ ଲକ୍ଷ୍ୟ ରଖି ବିରେନ୍ଦ୍ର ନିଜ ଭାଇଙ୍କ ସହ ସହରରେ ରାସ୍ତା କଡ଼ରେ ଏକ ବସ୍ତିରେ ରହିଥିଲେ । ୨୦୧୨ରେ ତାଙ୍କ ପିତା ଓ ଗତ ଜାନୁଆରୀରେ ତାଙ୍କର ମାଆ ଘରର ତିନି ପୁଅଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ । ଫଳରେ ବେସାହାର ପରିବାରର ଦାୟିତ୍ୱ ପଡ଼ିଥିଲା ବଡ଼ଭାଇ ଜିତେନ୍ଦ୍ରଙ୍କ ଉପରେ । ତେଣୁ ବଡ଼ଭାଇଙ୍କୁ ସାହାଯ୍ୟ କରିବା ସହ ଘରର ଗୁଜୁରାଣ ମେଣ୍ଟାଇବାକୁ ଯାଇ ବିରେନ୍ଦ୍ର ଅଣ୍ଡା ଦୋକାନ କରିବା ସହ ପଢ଼ାପଢ଼ି ଜାରି ରଖିଥିଲେ । ଦୋକାନରେ ଗ୍ରାହକ ନଥିବା ବେଳେ ସେ ବହି ପଢ଼ୁଥିଲେ । ବିରେନ୍ଦ୍ରଙ୍କ ପାଠପଢ଼ା ଆଗ୍ରହକୁ ଦେଖି ବଡ଼ଭାଇ ଜିତେନ୍ଦ୍ର ଘରର ସବା ସାନ ଭାଇକୁ ଦୋକାନ ଦାୟିତ୍ୱ ଦେଇ ବିରେନ୍ଦ୍ରଙ୍କୁ ରାଜ୍ୟ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଉତ୍ସାହିତ କରିଥିଲେ । ଶେଷରେ ବଡ଼ଭାଇଙ୍କ ଆଶିର୍ବାଦ ଓ ନିଜ ପରିଶ୍ରମର ଫଳ ପାଇଥିଲେ ବିରେନ୍ଦ୍ର । ସେ ବିହାର ପବ୍ଲିକ ସର୍ଭିସ କମିଶନ (ବିପିଏସସି) ପରୀକ୍ଷାରେ ୨୨୩୨ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଆଗକୁ ସେ ବ୍ଲକ ସପ୍ଲାଏ ଅଫିସର ଭାବେ କାର୍ଯ୍ୟରେ ଯୋଗଦେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.