fbpx

ସିଲ୍ ହେଲା ଏକାମ୍ର ପାର୍କ, ୨୩ ନଂ ୱାର୍ଡରେ କଣ୍ଟେନମେଣ୍ଟ୍ ଜୋନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିନି କରୋନା କି ଥମିନି ଭୟ । ଏହାରି ମଧ୍ୟରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସାମାନ୍ୟ ନିୟମ କୋହଳ କରୁଛନ୍ତି ସରକାର । କିନ୍ତୁ କଟକଣା ମାନିବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କେତେକ ଅମାନିଆ ନିୟମ ଉଲ୍ଲଂଘନ କରିଚାଲିଛନ୍ତି । ଫଳରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହି କ୍ରମରେ ଜନଗହଳି ଲାଗି ରହିବା ଓ କୋଭିଡ୍ କଟକଣା ପାଳନ କରାନଯିବାରୁ ରାଜଧାନୀର ଏକାମ୍ର ପାର୍କକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି ।

ସୂଚନା ଅନୁସାରେ କୋଭିଡ୍ କଟକଣା ଉଲ୍ଲଂଘନ କରି ପାର୍କରେ ଲୋକଙ୍କ ଭିଡ଼ ଲାଗି ରହୁଥିଲା । ନିୟମ ପାଳନ କରାଯାଉନଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଇ ବିଏମ୍ସି ସ୍କ୍ୱାଡ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏକାମ୍ର ପାର୍କକୁ ସିଲ୍ କରିଦେଇଛି । ଅନ୍ୟପକ୍ଷରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ବିଏମସିର ଦକ୍ଷିଣ-ପଶ୍ଚିମ୍ ଜୋନ୍ ଅନ୍ତର୍ଗତ ୨୩ ନଂ ୱାର୍ଡ ଶାମପୁରରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବା ଜଣାପଡ଼ିଛି ।

ଏଥିସହ ବିଏମସିର ଏନଫୋର୍ସ ଟିମ୍ ବଡ଼ଗଡ଼ ହାଟ, ସହିଦ ନଗର ହାଟ, ଝାରପଡ଼ା ହାଟ, ୟୁନିଟ୍-୧ ଓ ୪ ନମ୍ବର ମାର୍କେଟ୍ ଅଞ୍ଚଳ ପରିଦର୍ଶନ କରିଥିଲା । ଯେଉଁ ଦୋକାନୀମାନେ ସାମାଜିକ ଦୂରତା ରକ୍ଷା କରୁନଥିଲେ ଟିମ୍ ସେମାନଙ୍କୁ ବୁଝାଇଥିଲା ଏବଂ ନିୟମ ଉଲ୍ଲଂଘନ ପାଇଁ ୬ଟି ଦୋକାନକୁ ବନ୍ଦ କରାଯିବ ସହ ବିଏମସି ଉତ୍ତର ଜୋନ୍ ପକ୍ଷରୁ ୧୦ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଥିଲା ।

Get real time updates directly on you device, subscribe now.