fbpx

ବିଜୟ ଶୋଭାଯାତ୍ରା ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ, ୨୭ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ୁଥିବା ବେଳେ ନିର୍ବାଚନ କମିସନ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛନ୍ତି । ନିର୍ବାଚନ ସମୟରେ ଭୋଟ ଗଣତି ପରେ କିମ୍ବା ଜିତିଲା ପରେ ବିଜୟ ଶୋଭାଯାତ୍ରା ହେବ ନାହିଁ । ଏହା ଉପରେ ଆଜି ନିର୍ବାଚନ କମିସନ ନିଷେଧାଦେଶ ଲାଗୁ କରିଛନ୍ତି । ଦେଶରେ କୋଭିଡ୍ ସ୍ଥିତି ଭୟାନକ ହେଉଥିବାରୁ ଏହି ନିଷ୍ପତି ଶୁଣାଯାଇଛି । ଆସନ୍ତା ମାସ ମେ ୨ରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟି ଗଣତି ହେବ । ତେଣୁ ଏହି ଦିନ ଏବଂ ଜିତିବା ପରେ କୌଣସି ରାଜନୈତିକ ଦଳ ବିଜୟ ଶୋଭାଯାତ୍ରା କରିପାରିବେ ନାହିଁ । ଏହା ଉପରେ କଟକଣା ଲଗାଯାଇଛି । ତେବେ ମେ ୨ରେ ୫ଟି ରାଜ୍ୟ ଯେପରିକି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ, ପୁଡୁଚେରୀରେ ଫଳାଫଳ ଘୋଷଣା ହେବ ।

ସୁଚନାଯୋଗ୍ୟ, ସୋମବାର ଦେଶରେ କରୋନା ସଂକ୍ରମିତଙ୍କ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବା ପାଇଁ ନିର୍ବାଚନ କମିସନ ଦାୟୀ ବୋଲି ମତ ପ୍ରକାଶ କରିଥିଲେ ମାଡ୍ରାସ୍ ହାଇକୋର୍ଟ । ସେ ଏହା ମଧ୍ୟ କହିଥିଲେ ଯେ, ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ମାନଙ୍କ ପ୍ରାଣ ଯିବା ପଛରେ ନିର୍ବାଚନ କମିସନଙ୍କୁ ଦୋଷ ଦେବା କଥା । ଏଥିସହିତ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ମେ ୨ ଭୋଟ ଗଣତି ଦିନ ଯଦି କୋଭିଡ୍ ପ୍ରୋଟୋକଲ୍ ପାଳନ କରିବା ଉପରେ ଧ୍ୟାନ ନ ଦିଆଯାଏ ତେବେ ସେ ଗଣତି ରୋକି ଦିଆଯିବ । ସେହିପରି ହାଇକୋର୍ଟ କଠୋର ମନୋଭାବ ପୋଷଣ କରି କହିଥିଲେ ଯେ, ଗୋଟିଏ ସାମ୍ବିଧାନିକ ସଂସ୍ଥା ହୋଇ ମଧ୍ୟ ନିର୍ବାଚନ କମିସନ ଦାୟିତ୍ୱହୀନ ହୋଇଯାଇଛନ୍ତି ।

Get real time updates directly on you device, subscribe now.