fbpx

ଦେଶର କର୍ମଚାରୀଙ୍କ ରିଟାୟାରମେଣ୍ଟ ବୟସ ବଢ଼ିବ! ଆମେରିକା ଓ ୟୁରୋପ ମଡେଲ ଲାଗୁ ସପକ୍ଷରେ EPFO

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଦେଶରେ କର୍ମଚାରୀଙ୍କ ରିଟାୟାରମେଣ୍ଟ ବୟସ ବୃଦ୍ଧି ସପକ୍ଷରେ ରହିଛି । ଏନେଇ ଭିଜନ ଡକ୍ୟୁମେଣ୍ଟରେ ଇପିଏଫଓ ପକ୍ଷରୁ ଦର୍ଶାଯାଇଛି । ଅବସରପ୍ରାପ୍ତ ବୟସ ବୃଦ୍ଧି ପାଇଁ ଅନ୍ୟ ଦେଶର ମଡେଲକୁ ବିଚାରକୁ ନିଆଯାଇପାରେ । ଏହାଫଳରେ ପେନସନ ସିଷ୍ଟମକୁ ମଜବୁତ କରିବାରେ ସହାୟତା ମିଳିବ । ବର୍ତ୍ତମାନ ଦେଶରେ ୬ କୋଟିରୁ ଅଧିକ ଲୋକ ଇପିଏଫଓ ସହିତ ଯୋଡ଼ି ହୋଇ ରହିଛନ୍ତି । ଗତ ଜୁନ ମାସରେ ମୋଟ ୧୮.୩୬ ଲକ୍ଷ ନୂଆ ସଦସ୍ୟ ସାମିଲ ହୋଇଥିଲେ ।

ଏକ ରିପୋର୍ଟ ମୁତାବକ, ଇପିଏଫଓର ୨୦୪୭ ଭିଜନ ଡକ୍ୟୁମେଣ୍ଟରେ ଦେଶରେ ରିଟାୟାରମେଣ୍ଟ ବୟସ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି । ବର୍ତ୍ତମାନ ଭାରତରେ ରିଟାୟାରମେଣ୍ଟ ବୟସ ୫୮ରୁ ୬୫ ବର୍ଷ ମଧ୍ୟରେ ରହିଛି । ପ୍ରାଇଭେଟ କମ୍ପାନୀଙ୍କ କ୍ଷେତ୍ରରେ ଏହି ବୟସ ୫୮ ବର୍ଷ ରହିଛି । କେନ୍ଦ୍ର ସରକାର ବିଭିନ୍ନ ବିଭାଗ ପାଇଁ ଅବସରପ୍ରାପ୍ତ ବୟସ ୬୫ ବର୍ଷ ସ୍ଥିର କରିଛନ୍ତି ।

ତେବେ ଭାରତରେ ରିଟାୟାରମେଣ୍ଟ ବୟସ ଆମେରିକା ଓ ୟୁରୋପର ଦେଶଠାରୁ କମ୍ ଅଟେ । ୟୁରୋପୀୟ ସଂଘରେ ରିଟାୟାରମେଣ୍ଟ ବୟସ ୬୫ ରଖାଯାଇଥିବା ବେଳେ ଇଟାଲି, ଡେନମାନ ଓ ଗ୍ରୀସରେ ୬୭ ବର୍ଷ ରହିଛି । ସେହିପରି ଆମେରିକାରେ ଏହା ୬୬ ବର୍ଷ ରହିଛି । ଏକ ରିପୋର୍ଟ ମୁତାବକ, ୨୦୪୭ ସୁଦ୍ଧା ଭାରତ ବୟସ୍କଙ୍କ ବୃହତ ଜନସଂଖ୍ୟା ଦେଶ ପାଲଟିଯିବ । ସେ ସମୟରେ ୬୦ରୁ ଅଧିକ ବୟସ୍କଙ୍କ ସଂଖ୍ୟା ୧୪ କୋଟି ଟପିଯିବ । ଏହି କାରଣରୁ ପେନସନ ଫଣ୍ଡ ଉପରେ ଏହାର ଚାପ ପଡ଼ିବ ।

ତେଣୁ ଇପିଏଫଓ ରିଟାୟାରମେଣ୍ଟ ବୟସ ବୃଦ୍ଧି ନେଇ ବିଚାର କରୁଛି । ଯଦି ଏହି ବୟସ ବୃଦ୍ଧି ହୁଏ, ତେବେ ଦୀର୍ଘ ଅବଧିରେ ଇପିଏଫଓ ଓ ଅନ୍ୟ ଫଣ୍ଡରେ ଅଧିକ ଅର୍ଥ ଜମା ହୋଇପାରିବ । ଏହାଫଳରେ ପେନସନ ସିଷ୍ଟ ଉପରେ କମ୍ ଚାପ ପଡ଼ିବ ଓ ମହଙ୍ଗା ପ୍ରଭାବକୁ ମଧ୍ୟ ହ୍ରାସ କରାଯାଇ ପାରିବ । ଇପିଏଫଓର ୬ କୋଟିରୁ ଅଧିକ ଗ୍ରାହକ ରହିଥିବା ବେଳେ ଏହା ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପେନସନ ଓ ପିଏଫକୁ ପରିଚାଳନା କରିଥାଏ । ଇପିଏଫଓ ନିଜ ପ୍ଲାନରେ ପେନସନ ଫଣ୍ଡ ରେଗୁଲେଟରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟୀ (ପିଏଫଆରଡିଏ)କୁ ସାମିଲ କରିଛି । ପିଏଫଆରଡିଏ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ପେନସନ ଯୋଜନାକୁ ସଞ୍ଚାଳିତ କରିଥାଏ ।

Get real time updates directly on you device, subscribe now.