fbpx
BJD SKY
BJD SKY

ଇଂଲଣ୍ଡ ଦେଖିଲା ପ୍ରକୃତ Bazball Test: ଇଂରେଜର ନୂଆ ଫର୍ମାଟରେ ଟିମ ଇଣ୍ଡିଆ

BJD

ଓଡ଼ିଶା ଭାସ୍କର: ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ଆଇନା ଦେଖାଇଛି ଟିମ ଇଣ୍ଡିଆ । ଇଂରେଜ ଦଳ ଆରମ୍ଭ କରିଥିବା ବାଜବଲ୍ ଟେଷ୍ଟ ଫର୍ମାଟରେ ଭାରତ ନିଜର ଦମ୍ ଦେଖାଇଛି । ଟିମ ଇଣ୍ଡିଆର ଟପ୍ ଅର୍ଡର ଇଂଲଣ୍ଡକୁ ବାଜବଲ ଟେଷ୍ଟର ପ୍ରକୃତ ଅର୍ଥ ବୁଝାଇ ଦେଇଛନ୍ତି ବିସ୍ଫୋରକ ବ୍ୟାଟିଂ କରି ଇଂଲଣ୍ଡକୁ ପୁଣିଥରେ ପରାଜୟ ଆଡ଼କୁ ନେଇଆସିଛି ରୋହିତ ସେନା । ମ୍ୟାଚର ଦ୍ୱିତୀୟ ଦିନରେ ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଦମଦାର ଶତକ ହାସଲ କରିଥିବା ବେଳେ ଯଶସ୍ୱୀ ଜଏସ୍ୱାଲ, ଡେବ୍ୟୁ ଷ୍ଟାର ଦେବଦତ୍ତ ପାଡିକ୍କଲ ଏବଂ ସରଫରାଜ ଖାନ୍ ବିସ୍ଫୋରକ ବ୍ୟାଟିଂରେ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ଫର୍ମାଟକୁ ନିଜର କରିଛି ଭାରତ । ଟି-୨୦ ଷ୍ଟାଇଲରେ ବାଜବଲ୍ ଟେଷ୍ଟ ଖେଳୁଛି ରୋହିତ ସେନା । ପ୍ରଥମ ଇନିଂସରୁ ହିଁ ଓପନର ରୋହିତ ଶର୍ମା ଏବଂ ଯଶସ୍ୱୀ ଜଏସ୍ୱାଲ ଇଂଲଣ୍ଡ ବୋଲରଙ୍କ ବିପକ୍ଷରେ ବାଜବଲ୍ ଟେଷ୍ଟର ଜଲୱା ଦେଖାଇଛନ୍ତି । ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୧୩୫ ରନ୍ କରି ଗୋଟିଏ ୱିକେଟ ହରାଇଥିଲା । ଜଏସ୍ୱାଲ ୫୮ ବଲରୁ ୫ଟି ଚୌକା ଏବଂ ୩ଟି ଛକା ସହ ୫୭ ରନ୍ କରି ଆଉଟ୍ ହେବା ପରେ ଶୁଭମନ ଗିଲ୍ ରୋହିତଙ୍କ ସହ ସମାନ ଢଙ୍ଗରେ ବ୍ୟାଟିଂ କରିଥିଲେ । ତେବେ ଦ୍ୱିତୀୟ ଦିନ ଆରମ୍ଭରୁ ମଧ୍ୟ ଏହି ଷ୍ଟାଇଲରେ କେଳ ଜାରି ରଖିଥିଲେ ରୋହିତ ଏବଂ ଶୁଭମନ । ଦ୍ୱିତୀୟ ଦିନରେ ଉଭୟ ଖେଳାଳିଙ୍କ ବ୍ୟାଟରୁ ଚୌକା-ଛକାର ବର୍ଷା ଦେଖିବାକୁ ମିଳିଛି । ଟେଷ୍ଟ କ୍ରିକେଟରେ ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିବା ଫର୍ମୁଲା ଆରମ୍ଭ କରିଥିବା ଇଂଲଣ୍ଡ ଭାରତର ବାଜବଲ୍ ଟେଷ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି ।

ରୋହିତ ୧୩ଟି ଚୌକା ଏବଂ ୩ଟି ଛକା ସହ ୧୦୩ ରନ୍ କରିଥିବା ବେଳେ ଆଉଟ୍ହୋଇ ପାଭିଲିୟନ୍ ପେରିଥିଲେ । ଏହାପରେ ଶୁଭମନ ଗିଲ୍ ମଧ୍ୟ ୧୨ଟି ଚୌକା ଓ ୫ଟି ଛକାରୁ ୧୧୦ ରନ୍ କରି ଆଉଟ ହୋଇଯାଇଥିଲେ । କିନ୍ତୁ ଭାରତର ବାଜବଲ୍ ଟେଷ୍ଟ ବନ୍ଦ ହୋଇ ନଥିଲା । ଡେବ୍ୟୁ ଷ୍ୟାର ଦେବଦତ୍ତ ପାଡିକ୍କଲ ଏବଂ ସରଫରାଜ ଖାନ୍ ମଧ୍ୟ ଟି-୦ ଷ୍ଟାଇଳରେ ହିଁ ଖେଳ ଜାରି ରଖିଥିଲେ । ତେବେ ସରଫରାଜ ୬୦ ବଲରୁ ୮ଟି ଚୌକା ଏବଂ ଗୋଟିଏ ଛକା ସହ ୫୬ ରନ୍ କରି ପାଭିଲିୟନ୍ ଫେରିଛନ୍ତି । ସେପଟେ ଦମଦାର ବ୍ୟାଟିଂ କରୁଥିବା ଡେବ୍ୟୁ ଷ୍ଟାର ଦେବଦତ୍ତ ୧୦ଟି ଚୌକା ଏବଂ ଗୋଟିଏ ଛକା ସହ ୬୫ ରନ୍ କରି ଆଉଟ୍ ହୋଇଛନ୍ତି । ତେବେ ଏହି ୱିକେଟ ପରେ ଇଂଲଣ୍ଡକୁ ଆଶ୍ୱସ୍ତି ମିଳିଛି ।

ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡରର ପ୍ରଥମ ୫ ଜଣ କ୍ରିକେଟର ଇଂଲଣ୍ଡକୁ ବାଜବଲ୍ ଟେଷ୍ଟର ଝଲକ ଦେଖାଇ ଦେଇଛନ୍ତି । ସମସ୍ତ ଖେଳାଳିଙ୍କ ଷ୍ଟ୍ରାଇକ ରେଟ୍ ୬୦ ଉପରକୁ ରହିଥିବା ବେଳେ ସରଫରାଜ ଏବଂ ଯଶସ୍ୱୀ ୯୦ ଉପରେ ଷ୍ଟ୍ରାଇକ ରେଟ୍ ସହ ବ୍ୟାଟିଂ କରିଛନ୍ତି । ସେପଟେ ଦୁନିଆର ବଡ଼ ବଡ଼ ଦଳକୁ ବାଜବଲ୍ ଟେଷ୍ଟରେ ଚକମା ଦେଇଥିବା ଇଂଲଣ୍ଡ ଆଜି ଭାରତର ବାଜବଲ୍ ଟେଷ୍ଟ ଦେଖି ଆଚମ୍ବିତ ହୋଇ ରହିଯାଇଛି ଏବଂ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍ ମଧ୍ୟ ନିସ୍ତବ୍ଦ ହୋଇ ପଡ଼ିଛନ୍ତି । ଖବର ଲେଖା ହେବା ସୁଦ୍ଧା ଭାରତ ୮ ୱିକେଟ ହରାଇ ୪୭୨ ରନ୍ କରିଥିବା ବେଳେ ୨୫୪ ରନରେ ଆଗୁଆ ରହିଛି । ଉପ-ଅଧିନାୟକ ଜଶପ୍ରୀତ ବୁମରାହଙ୍କ ସହ ଷ୍ଟାର ସ୍ପିନର କୁଳଦୀପ ଯାଦବ ବର୍ତ୍ତମାନ ପଡ଼ିଆରେ ପାଳି ସମ୍ଭାଳିଛନ୍ତି ।

Get real time updates directly on you device, subscribe now.