ଏବେବି ସଙ୍ଗମ ତୁଠରେ ପ୍ରବଳ ଭିଡ଼, ସରିଲାଣି ମହାକୁମ୍ଭ ହେଲେ ଏବେବି କମିନି ଭିଡ଼
ମାର୍ଚ୍ଚ ମାସ ଅଧା ହେଲାଣି ଖରାବି ବଢ଼ିଲାଣି ଡିସେମ୍ୱରରୁ ଆସିଲେଣି ହେଲେ ଫେରିବାର ନାଁ ଧରୁ ନାହାନ୍ତି। ମହାକୁମ୍ଭ ସରିଲାଣି ଏବେବି ସେହିପରି ଭିଡ଼ ରହିଛି।
ଉତ୍ତରପ୍ରଦେଶ: କିଛି ଦିନ ତଳେ ମହାକୁମ୍ଭରେ ସୋରିଷ ପକାଇବାକୁ ବି ଜାଗା ନଥିଲା। ଯୁଆଡେ ଦେଖିବ ସିଆଡେ ମୁଣ୍ଡ ମାଳାମାଳ ଦିଶୁଥିଲା। ହେଲେ ଏବେ ସେହି ସ୍ଥାନରେ ଲୋକ ଦେଖାଯାଉନାହାନ୍ତି। ହେଲେ ଲୋକଙ୍କ ବଦଳରେ ହଜାର ହଜାର ବିଦେଶୀ ପକ୍ଷୀ ଏହି ସଙ୍ଗମ ତୁଠକୁ ଆହୁରି ସୁନ୍ଦର କରିଦେଉଛନ୍ତି।
ହଁ ଦିନ ଥିଲା ଏହି ତ୍ରିବେଣୀ ସଙ୍ଗମ ନିକଟରେ ଲୋକ ମାଳମାଳ ହେଉଥିଲେ। ମହାକୁମ୍ଭରେ କୋଟି କୋଟି ଲୋକଙ୍କ ସମାଗମ ହୋଇଥିଲା। ହେଲେ ମହାକୁମ୍ଭ ସରିଗଲା ପରେ ଏଠାରେ ଆଉ ଲୋକ ଦେଖିବାକୁ ମିଳୁନାହାନ୍ତି। କିନ୍ତୁ ପକ୍ଷୀ ମାନଙ୍କ କିଚିରି ମିଚିରି ଶବ୍ଦ ଏବେବି ଏଠାରେ ଶୁଭୁଚି।
ସଙ୍ଗମରେ ଏବେବି ଭିଡ଼: ହଁ ତ୍ରିବେଣୀ ସଙ୍ଗମରେ ଆଜି ବି କମିନି ପକ୍ଷୀଙ୍କ ଭିଡ। ଏବେବି ସଙ୍ଗମ ସ୍ଥଳରେ ବିଦେଶୀ ପକ୍ଷୀଙ୍କ ସମାଗମ ରହିଛି। ସଙ୍ଗମସ୍ଥଳ ଉପରେ ପକ୍ଷୀଙ୍କ କିଟିକିମିଚିରି ଶବ୍ଦ ପରିବେଶକୁ ଆହୁରି ସୁନ୍ଦର କରୁଛି। ସବୁଠାରୁ ବଡ କଥା ହେଉଥି ମହାକୁମ୍ଭ ସରିବାର ୧୫ ଦିନ ପରେ ବି ପକ୍ଷୀଙ୍କ ସଂଖ୍ୟା କମିନାହିଁ ଯାହା ଅନୁକୂଳ ପରିବେଶର ସଙ୍କେତ ଦେଉଛି।
ବିଦେଶୀ ପକ୍ଷୀଙ୍କ ଭିଡ଼: ତେବେ ଏହି ଦୃଶ୍ୟ ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳେ। ସାଧାରଣତ ସାଇବେରିଆ ପକ୍ଷୀ ଏବଂ ଅନ୍ୟ ବିଦେଶାଗତ ପକ୍ଷୀଙ୍କ ସମାଗମ ଶୀତ ଦିନରେ ସଙ୍ଗମ ଘାଟରେ ରହିଥାଏ। ଡିସେମ୍ବରରୁ ଫେବୃୟାରୀ ଶେଷ ଯାଏଁ ଏହି ବିଦେଶୀ ପକ୍ଷୀ ମାନେ ଉଡି ଆସି ପ୍ରୟାଗରାଜର ସଙ୍ଗମସ୍ଥଳରେ ଭିଡ ଜମାନ୍ତି ଆଉ ମାର୍ଚ୍ଚ ଆରମ୍ଭରୁ ସେମାନେ ପୁଣି ବାହୁଡି ଯାଆନ୍ତି।
ହେଲେ ଆଶ୍ଚର୍ଯ୍ୟର କଥା ଏହା କି ଏବେ ମାର୍ଚ୍ଚ ମାସ ଅଧା ହେଲାଣି। ଆଉ ପ୍ରତିବର୍ଷ ଅପେକ୍ଷା ଚଳିତ ବର୍ଷ ଖରାର ପ୍ରକୋପ ମଧ୍ୟ ଅଧିକ ରହିଛି। ହେଲେ ସଙ୍ଗମରେ ଏବେବି ପକ୍ଷୀମାନେ ରହିଛନ୍ତି। ଯେହେତୁ ଶୀତ ଦିନରେ ସେମାନେ ଏହିଠାରେ ରୁହନ୍ତି। ଏବଂ ଗରମ ଦିନ ଆରମ୍ଭରୁ ଉଡିଯାଆନ୍ତି।
ହେଲେ ମାର୍ଚ୍ଚ ମାସ ଅଧା ହେଲାଣି ଗରମ ହେଲାଣି ତଥାପି ସେମାନେ ପ୍ରୟାଗରାଜ ଛାଡ଼ି ଯାଉନାହାନ୍ତି। ଯାହା ପକ୍ଷୀ ଗଣନାକାରୀ ଏବଂ ପକ୍ଷୀ ବୈଜ୍ଞାନିକଙ୍କୁ ଚକିତ କରିଛି।
ସଙ୍ଗମ ଜଳ ସ୍ୱଚ୍ଛ: ଆଉ ଏହି ଦୃଶ୍ୟ ଦେଖିବା ପରେ କୁହାଯାଉଛି ସଙ୍ଗମର ଜଳ ସ୍ୱଚ୍ଛତା କାରଣରୁ ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ପକ୍ଷୀମାନେ ଏଯାଏଁ ରହିଛନ୍ତି। ଜଳ ଯଦି ଅସ୍ୱଚ୍ଛ ଥାନ୍ତା ତାହାଲେ ବିଦେଶୀ ପକ୍ଷୀମାନେ କେବେଠୁ ଉଡି ଯାଆନ୍ତେଣି।
ସଙ୍ଗମ ଜଳକୁ ମଝିରେ କିଛି ଲୋକ ଅସ୍ୱଚ୍ଛ ଏବଂ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ଆଣିଥିବା ବେଳେ ଏହାର ସ୍ୱଚ୍ଛତା ଏହି ବିଦେଶୀପକ୍ଷୀ ମାନେ ଦେଉଛନ୍ତି ବୋଲି କହିଛି ପ୍ରଶାସନ। କେବଳ ସେତିକି ନୁହେଁ ମହାକୁମ୍ଭ ପରେ ସଙ୍ଗମସ୍ଥଳକୁ ପରିଷ୍କାର ରଖିବା, ଜଳର ସ୍ବଚ୍ଛତା ସହ ଘାଟର ସଫେଇ ଉପରେ ବାରମ୍ବାର ଗୁରୁତ୍ବ ଦେବା କାରଣରୁ ସଙ୍ଗମ ଜଳ ସଫା ରହିଛି।