ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେପି ଛାଡ଼ିଲେ: ବିଜେଡିରେ ମିଶିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ବିଭିନ୍ନ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସମାପ୍ତ ହୋଇସାରିଥିବା ବେଳେ ଆଗକୁ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ଓଡ଼ିଶାରେ ୪ ପର୍ଯ୍ୟାୟ ବିଶିଷ୍ଟ ମତଦାନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ପ୍ରାର୍ଥୀ ଘୋଷଣା ହେବା ପରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରଚାରରେ ବ୍ୟସ୍ତ ରହିଥିବା ଟିକେଟ କଟିବା ପରେ କିଛି ପ୍ରାର୍ଥୀ ଦଳ ଛାଡ଼ୁଥିବା ଦେଖାଯାଉଛି ।

ଖବର ମୁତାବକ, ପୂର୍ବତନ ବିଧାୟିକା ରାଧାରାଣୀ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଝାରସୁଗୁଡ଼ା ଜିଲ୍ଲା ସଭାପତି ସୁନୀଲ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ରାଧାରାଣୀଙ୍କ ଭଳି ଜଣେ ବଳିଷ୍ଠ ନେତ୍ରୀ ଦଳ ଛାଡ଼ିବା ପରେ ପଦ୍ମକୁ ଲାଗିଛି ଏକ ବଡ଼ ଝଟକା । ଚଳିତ ସାଧାରଣ ନିର୍ବାଚନରେ ବିଜେପି ରାଧାରାଣୀଙ୍କ ବଦଳରେ ପୂର୍ବତନ ସାଂସଦ ସୁରେଶ ପୂଜାରୀଙ୍କୁ ଟିକେଟ ଦେଇଥିଲା । ରାଧାରାଣୀ ଦୀର୍ଘ ୩୫ ବର୍ଷ ଧରି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ରାଜନୀତି ସହ ଜଡ଼ିତ ଥିଲେ । ଦଳ ତାଙ୍କୁ ଅଣଦେଖା କରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ବିଜେପି ଛାଡ଼ିବା ପରେ ରାଧାରାଣୀ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି ।