fbpx

୪୮ ଘଣ୍ଟାରେ ହୋଇପାରେ ମୋଦୀ କ୍ୟାବିନେଟର ସଂପ୍ରସାରଣ, ସାମିଲ ହେବେ ୧୭ ରୁ ୨୨ ନୂତନ ଚେହେରା, ଏହି ନେତାଙ୍କୁ ମିଳିପାରେ ମନ୍ତ୍ରୀପଦ

ନୂଆଦିଲ୍ଲୀ : ମୋଦୀ ସରକାର ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ନେଇ ଜାତୀୟ ରାଜନୀତି ସରଗରମ। କାହାକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ଏବଂ କିଏ ବାଦ୍ ପଡିବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏହା ମଧ୍ୟରେ ଖବର ଆସିଛି ଯେ, ଆସନ୍ତା ୪୮ ଘଣ୍ଟାରେ ମୋଦୀ ମନ୍ତ୍ରିମଣ୍ଡଳର ବିସ୍ତାର ହୋଇପାରେ। କ୍ୟାବିନେଟ୍ ସଂପ୍ରସାରଣରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ପ୍ରତି ବିଶେଷ ଗୁରୁତ୍ଵ ଦିଆଯିବ ବୋଲି କୁହାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂତନ ମନ୍ତ୍ରିମଣ୍ଡଳରେ ୧୭ ରୁ ୨୨ ନୂତନ ମନ୍ତ୍ରୀ ସାମିଲ ହେବେ। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁ ରାଜ୍ୟଗୁଡିକରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେହି ରାଜ୍ୟକୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ଵ ଦିଆଯିବ। ଏହା ବ୍ୟତୀତ ଆଞ୍ଚଳିକ ଦଳର ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ଏନଡିଏ ନିଜ ସହଯୋଗୀଙ୍କ ମାନସ ଭଞ୍ଜନ କରିବ। ଏହାକୁ ନେଇ ଚର୍ଚ୍ଚା ଜୋର ଯେ, ୨୦୧୯ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୋଦୀ କ୍ୟାବିନେଟ୍ରେ କୌଣସି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦିଆଯାଇପାରେ।

ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶରୁ ସିନ୍ଧିଆଙ୍କ ବ୍ୟତୀତ ବିଜେପି ସାଂସଦ ରାକେଶ ସିଂହଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ସେପଟେ ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅପନା ଦଳର ଅନୁପ୍ରିୟା ପଟେଲଙ୍କ ସହିତ ପ୍ରାୟ ଚାରି ଜଣଙ୍କୁ ମନ୍ତ୍ରିମଣ୍ଡଳରେ ଥଇଥାନ କରାଯାଇପାରେ।

ବିହାରରୁ ସୁଶୀଲ ମୋଦୀ, ଜେଡିୟୁରୁ ଆରସିପି ସିଂହ ଓ ଏଲଜେପିରୁ ପଶୁପତି ପାରସଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ଜେଡିୟୁକୁ କେତେ ପଦ ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ। ନୀତିଶ କୁମାର ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି। ସେପଟେ ମହାରାଷ୍ଟ୍ରରୁ ନାରାୟଣ ରାଣେ, ହିନା ଗାବିତ ଓ ରଣଜୀତ ନାଇକ ନିମ୍ବଲକରଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ଜମ୍ମୁ-କଶ୍ମୀର ଓ ଲଦାଖରୁ ଜଣେ ଲେଖାଏଁ ସାଂସଦଙ୍କୁ ମୋଦୀ ମଣ୍ଡିମଣ୍ଡଳରେ ସାମିଲ କରାଯାଇପାରେ। କ୍ୟାବିନେଟ୍ରେ ଜେଡିୟୁ, ଏଲଜେପି ଓ ଓ୍ଵାଇଏସଆର କଂଗ୍ରେସର ଅନେକଙ୍କୁ ମନ୍ତ୍ରୀ ପଦ ମିଳିପାରେ।

ଅନ୍ୟପଟେ ମନ୍ତ୍ରିମଣ୍ଡଳରେ ଅତିରିକ୍ତ ଭାର ସମ୍ଭାଳୁଥିବା ନଅ ଜଣ ମନ୍ତ୍ରୀଙ୍କୁ ଅତିରିକ୍ତ ମନ୍ତ୍ରଣାଳୟ ଛାଡି ପାରନ୍ତି। ଅତିରିକ୍ତ ଦାୟିତ୍ଵଭାର ସମ୍ଭାଳୁଥିବା ପ୍ରକାଶ ଜାବଡେକର, ପିୟୂଷ ଗୋଏଲ, ନୀତିନ ଗଡକରୀ, ଡ ହର୍ଷବର୍ଦ୍ଧନ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ଧର୍ମେନ୍ଦ୍ର ପ୍ରଧାନ, ସ୍ମତି ଇରାନୀ ଓ ହରଦୀପ ସିଂହ ପୁରୀଙ୍କୁ ଚାପ ମୁକ୍ତ କରାଯାଇପାରେ। ବର୍ତ୍ତମାନ ମୋଦୀ ମନ୍ତ୍ରିମଣ୍ଡଳରେ ମୋଟ୍ ୫୩ ମନ୍ତ୍ରୀ ଅଛନ୍ତି। ସମ୍ବିଧାନ ଅନୁଯାୟୀ ସର୍ବାଧିକ ୮୧ ମନ୍ତ୍ରୀ ହୋଇ ପାରିବେ। ଏହି ହିସାବରେ ଆଉ ୨୮ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ।

Get real time updates directly on you device, subscribe now.