fbpx

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ୧ କି.ମି ପର୍ଯ୍ୟନ୍ତ ଶୁଭିଲା ଧମାକାର ଶବ୍ଦ

ସମ୍ବଲ : ୟୁପିର ସମ୍ବଲ ଜିଲ୍ଲାର ଜନଗହଳି ଅଞ୍ଚଳର ଘର ଭିତରେ ବେଆଇନ ଭାବେ ଚାଲୁଥିବା ବାଣ ଫ୍ୟାକ୍ଟରିରେ ନିଆଁ ଲାଗି ବିସ୍ଫୋରଣ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ୬ମାସର ଶିଶୁ ସହିତ ୨ଟି ଝିଅ ଏବଂ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ୯ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ହେବା ଦ୍ୱାରା ଘରର ଛାତ ଉଡ଼ିଯିବା ସହିତ କାନ୍ଥ ଭୁଶୁଡ଼ି ପଡିଥିଲା । ଏହି ଦୁର୍ଘଟଣାରେ ୬ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ।

ସୁଚନା ଅନୁସାରେ ସମ୍ବଲ ଜିଲ୍ଲାର ଗୁନୋର କୋତବାଲି ଅଞ୍ଚଳରେ ସରାୟ ମକାନର ବାସିନ୍ଦା ସାବିର ଅଲି ଓ ତାଙ୍କ ଭାଇ ସଲିମ ବାଣ କାରବାର କରୁଥିଲେ । ବାଣ ଫ୍ୟାକ୍ଟରିର ଲାଇସେନ୍ସ ଥିବା ସ୍ଥାନରେ କାମ ନ କରି ସାବିର ଅଲି ବେଆଇନ ଭାବରେ ଜନଗହଳି ଅଞ୍ଚଳ ମଝିରେ ଏକ ଘର ଭଡ଼ାକୁ ନେଇ ସେଠାରେ ବାଣ ପ୍ରସ୍ତୁତି କରୁଥିଲେ । ସାବିର ଅଲି ମଙ୍ଗଳବାର ଦିନ ୨ବସ୍ତା ବାଣ ଆଣି ଘରେ ରଖିଥିଲେ । ଏହାପରେ ସେ କୌଣସି କାମରେ ଘରୁ ବାହାରକୁ ଚାଲି ଯାଇଥିଲେ । ମଙ୍ଗଳବାର ଦିନ ସନ୍ଧ୍ୟାରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିବା ବେଳେ ଘର ଭିତରେ ଥିବା ବାଣରେ ମଧ୍ୟ ନିଆଁ ଲାଗି ତାହା ବିସ୍ଫୋରଣ ହୋଇଥିଲା । ବାଣ ବିସ୍ଫୋରଣର ଶବ୍ଦ ପ୍ରାୟ ୧କି.ମି ପର୍ଯ୍ୟନ୍ତ ଶୁଣଯାଇଥିଲା ।

ଏହି ବିସ୍ଫୋରଣ ଦ୍ୱାରା ସାବିରଙ୍କ ଘରର ଛାତ ଉଡ଼ିଯିବା ସହିତ କାନ୍ଥ ମଧ୍ୟ ଭୁଶୁଡ଼ି ଯାଇଥିଲା । ଘରେ ଉପସ୍ଥିତ ଥିବା ଲୋକମାନେ ଛାତ ତଳେ ଚାପି ହୋଇ ଯାଇଥିଲେ । ବିସ୍ଫୋରଣ ଦ୍ୱାରା ପଡୋଶୀ ଘରର କାନ୍ଥ ମଧ୍ୟ ଭୁଶୁଡି ଯାଇଥିଲା । ବିସ୍ଫୋରଣର ନିଆଁ ୫୦ଫୁଟ ଉପର ଆକାଶକୁ ଯିବା ସହିତ ଘରର ଛାତ ୩୦୦ ମିଟର ଦୂରତାରେ ପଡିଥିଲା । ଏହି ବିସ୍ଫୋରଣରେ ସାବିର ଘରର ୬ମାସର ଛୋଟ ଶିଶୁ ସହିତ ୨ଟି ଝିଅ ଏବଂ ଜଣେ ମହିଳା ଛାତ ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ଏବଂ ୯ଜଣ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ ୨ଘଣ୍ଟାର କଠିନ ପରିଶ୍ରମ ପରେ ସେମାନେ ନିଆଁ ଉପରେ କାବୁ ପାଇଥିଲେ । ପଡୋଶୀ ଘର ଗୁଡ଼ିକରେ ମଧ୍ୟ ଗୋଟାଏ ପରେ ଗୋଟାଏ ଘରେ ନିଆଁ ଲାଗୁଥିବାରୁ ଅଗ୍ନିଶମ କର୍ମୀଙ୍କୁ ନିଆଁ ଉପରେ କାବୁ କରିବାରେ କଷ୍ଟ ହୋଇଥିଲା । ଏହା ପରେ ପୋଲିସ ଛାତ ତଳେ ଚାପି ହୋଇ ରହିଥିବା ମୃତ ଲୋକଙ୍କୁ ବାହାରକୁ ବାହାର କରିଥିଲା ଏବଂ ଆହତଙ୍କୁ ହସ୍ପିଟାଲକୁ ଚିକିସô୍ା ପାଇଁ ପଠାଇଥିଲା ।

Get real time updates directly on you device, subscribe now.