fbpx

ବଜାରରେ ବିକ୍ରି ହେଉଛି ‘ନକଲି ଆମ୍ବ’! ଫଳ ପଚାଇବା ପାଇଁ ବ୍ୟବହୃତ ହେଉଥିବା କ୍ୟାଲସିୟମ୍ କାର୍ବାଇଡ୍ ସୃଷ୍ଟି କରିପାରେ ଅନେକ ଭୟଙ୍କର ରୋଗ

ନୂଆଦିଲ୍ଲୀ: ଆଜିକାଲ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି । ଅନେକ ଆମ୍ବ ସିଜିନ୍ ପୂର୍ବରୁ ମଧ୍ୟ ଦୋକାନୀମାନେ ବିକୁଥିବା ଦେଖିବାକୁ ମିଳୁଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆମ୍ବ ପାଚିବା ସମୟ ପୂର୍ବରୁ ଏହି ପାଚିଲା ଆମ୍ବ କୁଆଡ଼ୁ ଆସୁଛି । ଅନେକ ଅସାଧୁ ବେପାରୀମାନେ କଞ୍ଚା ଆମ୍ବରେ କ୍ୟାଲସିୟମ କ୍ୟାର୍ବାଇଡ୍ ପରି କିଛି କେମିକାଲ ଦେଇ ତାହାକୁ ସମୟ ପୂର୍ବରୁ ପଚାଉଥିବା ଘଟଣା ସାମ୍ନାକୁ ଆସିଛି । ତେବେ କେମିକାଲ ବ୍ୟବହୃତ ହୋଇଥିବା ଏହି ଆମ୍ବ ଆମ ଶରୀର ପାଇଁ କ୍ଷତିକାରକ ହେବା ସହିତ ଅନେକ ବୀମାରୀକୁ ଆମନ୍ତ୍ରଣ କରିଥାଏ ।

ଗରମ ଦିନରେ ରାସ୍ତାକଡ଼ରେ, ବଜାରରେ ବିକ୍ରି ହେଉଥିବା ତାଜା ଆମ୍ବକୁ ଦେଖିଲେ ଯେ କେହି ବି କିଣିବାକୁ ମନ କରିବ । ତେବେ ଏହି ଆମ୍ବ ଭିତରେ ଯେ ବିଷ ଭରି ରହିଛି ସେ ବିଷୟରେ ଗ୍ରାହକମାନେ ଅଜ୍ଞ ରହିଥାନ୍ତି । ଏପରି ସୁନ୍ଦର ଓ ଫ୍ରେଶ ଦେଖାଯାଉଥିବା ଆମ୍ବ ଯେ ‘ନକଲି ଆମ୍ବ’ ତାହା ଅନେକ ବୁଝିପାରି ନଥାନ୍ତି । ନିକଟରେ ଖାଦ୍ୟ ସୁରକ୍ଷା ବିଭାଗ ତାମିଲନାଡ଼ୁର ଏକ ଗୋଦାମରୁ ପାଖାପାଖି ୭.୫ ଲକ୍ଷର ନକଲି ଆମ୍ବ ଜବତ କରିଛି । ତେଣୁ ଏହା ନିଶ୍ଚିତ ଭାବେ ସ୍ପଷ୍ଟ ଯେ, ଦେଶର ବିଭିନ୍ନ ରାଜ୍ୟର ବିଭିନ୍ନ ସହରମାନଙ୍କରେ ରହିଥିବା ବଜାରମାନଙ୍କରେ ନକଲି ଆମ୍ବ ବିକ୍ରି ହେଉଛି । ଏହି ବେପାରୀମାନେ ନିଶ୍ଚିତ ଭାବେ ପୂର୍ବରୁ ଏପରି ଆମ୍ବକୁ ଲୋକଙ୍କୁ ବିକ୍ରି କରିଥିବେ ।

ଏଠାରେ ନକଲି ଆମ୍ବର ଅର୍ଥ ହେଉଛି, ଆମ୍ବକୁ ଗଛରୁ ତୋଳିବା ପରେ ତାହାକୁ କୃତ୍ରିମ ଉପାୟରେ କେମିକାଲ ଦେଇ ପଚାଯିବ । ତେବେ ଫଳକୁ ପଚାଇବା ପାଇଁ ସେଥିରେ ବୃବହୃତ ହେଉଥିବା ଏହି କେମିକାଲ ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ହାର୍ଡୱେୟର ଦୋକାନମାନଙ୍କରେ ଅତି ସହଜରେ କ୍ୟାଲସିୟମ କାର୍ବାଇଡ୍ ମିଳିଯାଉ ଥିବାରୁ ମୁନାଫାଖୋର ବେପାରୀମାନେ ତାହାକୁ କିଣି ଆମ୍ବକୁ ସମୟ ପୂର୍ବରୁ ପଚାଇ ବିକ୍ରି କରିଥାନ୍ତି । କଞ୍ଚା ଆମ୍ବ ଭିତରେ ଏହି କେମିକାଲକୁ ଲଗାଇ ରଖିବାକୁ ପଡ଼ିଥାଏ ।

ଏହାପରେ ଆମ୍ବକୁ ଏକ ପ୍ୟାକେଟରେ ବନ୍ଦ କରି ରଖାଯାଇଥାଏ । ତାହାକୁ ଭଲରେ ପ୍ୟାକ୍ କରାଯାଇଥାଏ । ପବନ ଯିବା ଆସିବା କରୁଥିବା ଏକ ସ୍ଥାନରେ ତାହାକୁ ୩-୪ ଦିନ ପର୍ଯ୍ୟନ୍ତ ରଖିବା ପରେ ଆମ୍ବ ପାଚିଯାଇଥାଏ । ତେବେ ଆମ୍ବକୁ ପଚାଇବାକୁ ବେପାରୀମାନେ ଆପଣାଉଥିବା ଏହି ଭୟଙ୍କର ଟ୍ରିକ୍ସ ଆମର ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ସାଜିଥାଏ । ଯଦି ଆପଣମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ କ୍ୟାଲସିୟମ କାର୍ବାଇଡ ଦ୍ୱାରା ପଚାଯାଉଥିବା ଆମ୍ବ ସେବନ କରନ୍ତି ତେବେ ସେହି କାରଣରୁ ପେଟ ଯନ୍ତ୍ରଣା, ଡାଇରିଆ, ବାନ୍ତି ହୋଇପାରେ । ଏଥିସହିତ ଚକ୍କର, ମୁଣ୍ଡବ୍ୟଥା, ମୁଡ ଡିଷ୍ଟର୍ବ ପରି ସମସ୍ୟା ସୃଷ୍ଟି ହୋଇଥାଏ । ଏଥିସହିତ ହାର୍ଟ ଆଟାକ୍ ମଧ୍ୟ ହୋଇପାରେ ।

Get real time updates directly on you device, subscribe now.