fbpx

ରାଜଧାନୀରେ ଫିଲ୍ମ ଷ୍ଟାଇଲ୍ କ୍ରାଇମ୍: ବିବିଏ ଛାତ୍ରଙ୍କୁ ଅପହରଣ ପରେ ୩୦ ଲକ୍ଷ ଦାବି କଲେ ଦୁର୍ବୃତ୍ତ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ରାଜଧାନୀରେ ଜଣେ ବିବିଏ ଛାତ୍ରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି । ଅପହରଣକାରୀମାନେ ୩୦ ଲକ୍ଷ ଟଙ୍କା ଦାବି କରିଥିବା ଜଣାପଡ଼ିଛି । ତେବେ ଅପହୃତ ଛାତ୍ରଜଣଙ୍କର ଘର ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିବା ବେଳେ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ । ପୋଲିସ ଏନେଇ ୩ ଅପହରଣକାରୀଙ୍କୁ କାବୁ କରିବା ସହ ଛାତ୍ରଙ୍କୁ ଉଦ୍ଧାର କରିଛି । ଏଥିସହ ଦୁର୍ବୃତ୍ତଙ୍କଠାରୁ ଏକ କାର୍, ମୋବାଇଲ ଓ ମାରଣାସ୍ତ୍ର ଜବତ କରିଛି ।

ଜଣାପଡ଼ିଛି ଯେ, ଅପହୃତ ହୋଇଥିବା ଛାତ୍ରଙ୍କ ଘର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ । ଛାତ୍ରଜଣଙ୍କ ବେଙ୍ଗାଲୁରୁରେ ରହି ବିବିଏ ପଢ଼ୁଥିଲେ । କରୋନା ପାଇଁ ସେ ନିକଟରେ ତାଙ୍କ ଘରକୁ ଆସିଥିଲେ । ଝାରପଡ଼ା ନିକଟରେ ଏକ ଏମଫେଡ୍ ବୁଥ ନିକଟରେ ଚା’ ପିଉଥିବା ବେଳେ ହଠାତ୍ ୩ ଜଣ ଯୁବକ ଏକ କାରରେ ଆସି ଫିଲ୍ମ ଷ୍ଟାଇଲରେ ଉକ୍ତ ଛାତ୍ରଙ୍କୁ କିଡନାପ୍ କରିନେଇଥିଲେ । ଏହାପରେ ଦୁର୍ବୃତ୍ତମାନେ ଛାତ୍ରଙ୍କ ବାପାଙ୍କୁ ଫୋନ୍ କରି ୩୦ ଲକ୍ଷ ମାଗିଥିଲେ । ଏନେଇ ଛାତ୍ରଙ୍କ ବାପା ଲକ୍ଷ୍ମୀସାଗର ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଏହାପରେ ଏକ ସ୍ପେଶାଲ ଟିମ୍ ଗଠନ କରି ଅପରାଧୀମାନଙ୍କୁ ଧରିବାରେ ସଫଳ ହୋଇଥିଲା ।

ତେବେ ପୋଲିସ ପ୍ରଥମେ ଉକ୍ତ ଓମଫେଡ୍ ବୁଥକୁ ଯାଇ ଛାତ୍ରଙ୍କ ସ୍କୁଟି ଜବତ କରିଥିଲା । ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଓ ଅପହର୍ତ୍ତାଙ୍କ କଲକୁ ଟ୍ରାକିଂ କରି ପୋଲିସ ସେମାନଙ୍କ ନିକଟରେ ପହଞ୍ଚିଥିଲା । ତେବେ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇବାକୁ ପୂର୍ବରୁ ଗତ କିଛିଦିନ ହେଲା ଯୋଜନା କରୁଥିଲେ । ସେମାନେ ଉକ୍ତ ଓମଫେଡ୍ ବୁଥକୁ ନିୟମିତ ଆସୁଥିଲେ । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ଏନେଇ ସମସ୍ତ ତଥ୍ୟ ଗୋପନ ରଖାଯାଇଛି । ଆସନ୍ତାକାଲି ପ୍ରେସ୍ ମିଟରେ ଏନେଇ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.