fbpx

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଏତଲା

ପୁରୀ,୧୭ ।୧୧(ଓଡିଶା ଭାସ୍କର): ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଏତଲା ଦିଆଯାଇଛି । ପୁରୀ ସଂପର୍କିତ ଲେଖାଶ୍ରୀଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ଘଟଣାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି । ପୁରୀ ଟାଉନ ଥାନାରେ ଏତଲା ଦାୟର କରିଛି ଯୁବ କଂଗ୍ରେସ । ଲେଖାଶ୍ରୀ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ, ନହେଲେ ତାଙ୍କୁ ପୁରୀରେ ପୁରାଇ ଦିଆଯିବ ନାହିଁ ବୋଲି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହା ସହ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ପୁରୀକୁ ନେଇ ଲେଖାଶ୍ରୀଙ୍କ ବିଭ୍ରାନ୍ତିକର ଓ ଅପମାନସୂଚକ ମନ୍ତବ୍ୟ ରାଜ୍ୟ ବିରୋଧୀ। ସେ ଯେଉଁଭଳି ଭାବେ ପୁରୀକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ସେହିଭଳି ଭାବେ ବଡ଼ଦାଣ୍ଡ ଯାଇ ପ୍ରଭୁ ଜଗନ୍ନାଥକୁ ଭୁଲ ମାଗନ୍ତୁ, ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ ପକ୍ଷରୁ କୁହାଯାଇଛି।

ତେବେ ଲେଖାଶ୍ରୀ କହିଥିଲେ ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ । ଯେତେବେଳେ ପୁରୀ ଲୋକସଭା ଆସନରୁ ଡାକ୍ତର ସମ୍ବିତ ପାତ୍ର ନିର୍ବାଚନ ଲଢ଼ିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଜାଣିବାକୁ ପାଇଲେ ଦେଶବାସୀ।

ଲେଖାଶ୍ରୀଙ୍କ ବୟାନକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ଲେଖାଶ୍ରୀଙ୍କ ବୟାନ ହାସ୍ୟାସ୍ପଦ । ସେ ଦୁଃଖ ପ୍ରକାଶ କରିବା କଥା । ପୁରୀଧାମ ଜଗନ୍ନାଥଙ୍କ ପାଇଁ ବିଶ୍ୱରେ ପରିଚିତ, ସମ୍ବିତଙ୍କ ପାଇଁ ନୁହେଁ ।’

ଅନ୍ୟପକ୍ଷରେ ଘଟଣାକୁ ନେଇ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ ଟୁଇଟ୍ କରି କହିଛନ୍ତି, ଆଗରୁ ବୈଜୟନ୍ତ ପଣ୍ଡା କହିଥିଲେ ଓଡ଼ିଶା ପାକିସ୍ତାନ ପରି, ଆଉ ଏବେ ଏକଥା । ଓଡ଼ିଶା ଓ ଜଗନ୍ନାଥଙ୍କ ପ୍ରତି ଏଇଟା ଅପମାନ । ଓଡ଼ିଶାର ଜନତା, ବିଜେପିକୁ ପ୍ରତ୍ୟାଖାନ କରିବାରୁ ଓଡ଼ିଶାବାସୀଙ୍କୁ ଅପମାନ ଦେବାକୁ ଏପରି କାମ କରାଯାଉଥିବା ଟୁଇଟ୍ କରିଛନ୍ତି ସାଂସଦ ଅମର ପଟ୍ଟନାୟକ।

ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବଦୀୟ ବୟାନକୁ ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ସମାଲେଚନା କରିଛନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ‘ଏଭଳି ଶସ୍ତା ମନ୍ତବ୍ୟ ଦିଅନ୍ତୁ ନାହିଁ ଲେଖାଶ୍ରୀ।’

ଲେଖାଶ୍ରୀଙ୍କ ବୟାନକୁ ନେଇ ଖାରବେଳ ସ୍ୱାଇଁଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ପୁରୀ ଓଡିଶାର ବୋଲି ସମସ୍ତେ ଜାଣନ୍ତି । ଏଭଳି କହିବା ଠିକ ନୁହେଁ ।’

Get real time updates directly on you device, subscribe now.