ବାତ୍ୟା ‘ଦାନା’ରେ ଗଲା ପ୍ରଥମ ଜୀବନ: ଆଶ୍ରୟସ୍ଥଳୀରେ ବୃଦ୍ଧାଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ଭିତରକନିକା ହାବଳିଖଟିର ନେଚରକ୍ୟାମ୍ପ ନିକଟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ’ଦାନା’ । ସ୍ଥଳଭାଗ ଛୁଇଁବା ପରଠାରୁ ସାରା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍‌ଗକୁ ଖୁବ ଜୋରରେ ପବନ ବହୁଛି । ଏହି ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ାର ରାଜନଗରରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ଜଣେ ବୃଦ୍ଧା ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ରାଜନଗର ଡାଙ୍ଗମାଳ ପଞ୍ଚାୟତରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବାଙ୍କୁଆଳ ଗ୍ରାମର ଜଣେ ବୃଦ୍ଧାଙ୍କୁ ଆଶ୍ରୟସ୍ଥଳୀରୁ ଘରକୁ ନେବା ସମୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବାଙ୍କୁଆଳ କଲ୍ୟାଣମଣ୍ଡପ ବାତ୍ୟା ଆଶ୍ରୟସ୍ଥଳୀରେ ଅସୁସ୍ଥ ହୋଇ ପଡ଼ିଥିଲେ ବୃଦ୍ଧା । ଏହାପରେ ଆଶ୍ରୟସ୍ଥଳୀରୁ ଘରକୁ ନେଇଯିବା ବାଟରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ।

ସମୁଦ୍ରରୁ ଆସି ଭୀଷଣ ବାତ୍ୟାର ରୂପ ନେଇ ଦାନା ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇଁବା ପରେ ସାରା ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରଚଣ୍ଡ ପବନ ବହିବା ଆରମ୍ଭ ହୋଇଯାଇଛି । ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିଥିବା ସୂଚନା ମିଳିଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଆସନ୍ତାକାଲି ସକାଳ ୫ଟା ପର‌୍ୟ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି । ଭିତରକନିକା ଧାମରା ମଧ୍ୟରେ ଦାନା ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଦାନା’ । ଆଉ ସ୍ଥଳଭାଗ ଛୁଇଁବା ବେଳେ ସ୍ଥାନୀୟ ଅଂଚଳ ବା ଆଖପାଖ ଅଂଚଳରେ କିଟମିଟ ଅନ୍ଧାର ହୋଇଯାଇଛି । ପ୍ରଚଣ୍ଡ ବେଗରେ ବହୁଥିବା ପବନର ଶବ୍ଦରେ ହିଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।