ଭାରତରେ ଖୋଲିଲା ପ୍ରଥମ ଡାଇବେଟିସ୍ ବାୟୋବ୍ୟାଙ୍କ: ମଧୁମେହ ରୋଗକୁ ନିୟନ୍ତ୍ରଣ ପାଇଁ ଆରମ୍ଭ ହେବ ଗବେଷଣା

ନୂଆଦିଲ୍ଲୀ: ଦେଶରେ ପ୍ରତିଷ୍ଠା ହୋଇଛି ପ୍ରଥମ ବାୟୋବ୍ୟାଙ୍କ । ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଓ ମାଡ୍ରାସ ଡାଇବେଟିସ୍ ଗବେଷଣା ପ୍ରତିଷ୍ଠାନ (ଏମଡିଆରଏଫ) ତରଫରୁ ମିଳିତ ଭାବେ ଚେନ୍ନାଇ ଠାରେ ଏହି ବାୟୋବ୍ୟାଙ୍କ ସ୍ଥାପନ କରାଯାଇଛି । ଡାଇବେଟିସ୍ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ଓ ଚିକିତ୍ସା ଦିଗରେ କାମ କରିବା ଏହି ବାୟୋବ୍ୟାଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଏହି ବାୟୋବ୍ୟାଙ୍କ କୌଣସି ପ୍ରକାର ବ୍ୟାଙ୍କ ନୁହେଁ, ବରଂ ଏହି ଅନୁଷ୍ଠାନ ଡାଇବେଟିସ୍ ଉପରେ ଅତ୍ୟାଧୁନିକ ପଦ୍ଧତିରେ ଗବେଷଣା କରିବ ବୋଲି ଦିଲ୍ଲୀ ଜେବିଟି ବିଭାଗର ଜଣେ ମେଡିସିନ ସ୍ପେଶାଲିଷ୍ଟ ସୂଚନା ଦେଇଛନ୍ତି ।

ଡାଇବେଟିସ୍ ଉପରେ ଅଧିକ ବୈଜ୍ଞାନିକ ରିସର୍ଚ୍ଚ କରିବା ପାଇଁ ବାୟୋଲୋଜିକାଲ ନମୂନା ସଂଗ୍ରହ, ଗଚ୍ଛିତ ଓ ଆବଣ୍ଟନ କରିବା ଉଦ୍ଦେଶ୍ୟରେ ଏହାକୁ ସ୍ଥାପନ କରାଯାଇଛି । ମଧୁମେହ ରୋଗର ଆରୋଗ୍ୟ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମେଡିସିନ୍ କିମ୍ବା ଚିକିତ୍ସା ସୁବିଧା ନଥିବା ବେଳେ ଏହି ବାୟୋବ୍ୟାଙ୍କ ଡାଇବେଟିସର ନିୟନ୍ତ୍ରଣ ଉପରେ ରିସର୍ଚ୍ଚ କରିବ । ଏଥିସହିତ ଡାଇବେଟିସକୁ ଭଲ ଭାବେ ନିୟନ୍ତ୍ରଣ କରିବା ପାଇଁ ନୂଆ ଯୋଜନା ଉପରେ ଏହି ବାୟୋବ୍ୟାଙ୍କ କାମ କରିବ ବୋଲି କୁହାଯାଇଛି ।