fbpx
BSKY
BJD MC SKY
BJD YOUTH SKY

ଚନ୍ଦ୍ରଯାନ ପରେ ‘ସମୁଦ୍ରଯାନ’: ପ୍ରଥମ ଥର ପାଇଁ ୬ ହଜାର ମିଟର ଗଭୀର ସମୁଦ୍ରକୁ ଗବେଷଣା ପାଇଁ ମଣିଷକୁ ପଠାଇବ ଭାରତ

ନୂଆଦିଲ୍ଲୀ: ଭାରତର ମହାକାଶ ମିଶନ ‘ଚନ୍ଦ୍ରଯାନ’ ପରେ ଏବେ ବୈଜ୍ଞାନିକମାନେ ‘ସମୁଦ୍ରଯାନ’ ପ୍ରକଳ୍ପ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଭାରତର ପ୍ରଥମ ‘ସମୁଦ୍ରଯାନ’ ପ୍ରକଳ୍ପ ମାଧ୍ୟମରେ ଦେଶର ତିନି ଜଣ ସାମୁଦ୍ରିକ ବିଶେଷଜ୍ଞଙ୍କୁ ୬ ହଜାର କିମି ଗଭୀର ସମୁଦ୍ରକୁ ପଠାଯିବ । ସେଠାରେ ସେମାନେ ଜୈବ ବିବିଧତା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ସେଠାରେ କ’ଣ ସବୁ ରହିଛି ସେନେଇ ଅନୁସନ୍ଧାନ କରିବେ ।

ପୂର୍ବରୁ ଗଭୀର ସମୁଦ୍ରକୁ ଗବେଷଣା ପାଇଁ କେବଳ ଯନ୍ତ୍ରକୁ ପଠାଯାଉଥିଲା । ମାତ୍ର ପ୍ରଥମ ଥର ପାଇଁ ଭାରତ ମଣିଷକୁ ପଠାଇବ । ଏକ ସ୍ୱତନ୍ତ୍ର ବୁଡ଼ା ସାହାଜ ଭଳି ଯାନ ‘ମତ୍ସ୍ୟ ୬୦୦୦’ ମାଧ୍ୟମରେ ବୈଜ୍ଞାନିକମାନେ ଗଭୀର ସମୁଦ୍ରକୁ ଯିବେ । ଏହି ଯାନ ସମୁଦ୍ରରେ ସ୍ୱାଭାବିକ ପରିସ୍ଥିତିରେ ୧୨ ଘଣ୍ଟା ଓ ଜରୁରୀକାଳୀନ ସ୍ଥିତିରେ ୯୬ ଘଣ୍ଟା ଅଭିଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିପାରିବ । ଚେନ୍ନାଇ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ ଟେକ୍ନୋଲୋଜି (ଏନଆଇଓଟି) ଦ୍ୱାରା ଆସନ୍ତା ୨୦୨୬ ସୁଦ୍ଧା ଭାରତର ଏହି ସ୍ୱପ୍ନ ପୂରଣ ହେବ । ଏହି ପ୍ରକଳ୍ପ ପାଇଁ ୫ ବର୍ଷରେ ୪୦୭୭ କୋଟି ଟଙ୍କା ବ୍ୟୟ ନେଇ ଅଟକଳ କରାଯାଇଛି । କେନ୍ଦ୍ର ଭୂବିଜ୍ଞାନ ବିଭାଗ ମନ୍ତ୍ରୀ କିରେନ ରିଜିଜୁ ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି ।

‘ସମୁଦ୍ରଯାନ’ ଅଭିଯାନ ସଫଳ ହେଲେ ଭାରତ ଆମେରିକା, ଚୀନ, ରୁଷିଆ, ଫ୍ରାନ୍ସ ଓ ଜାପାନ ସହ ସମକକ୍ଷ ହୋଇ ପାରିବ । ଏହି ଅଭିଯାନ ଦ୍ୱାରା ପରିବେଶର କିଛି କ୍ଷତି ହେବ ନାହିଁ ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ‘ବ୍ଲୁ ଇକୋନୋମି’ ନୀତିକୁ ଏହା ସହାୟତା କରିବ । ସମୁଦ୍ରର ନିମ୍ନ ଭାଗରେ ରହିଥିବା ସମ୍ପତ୍ତିର ସୁଦପଯୋଗ କରାଯାଇ ତାହା ମାଧ୍ୟମରେ ଦେଶର ଅର୍ଥନୀତିକୁ ସୁଦୃଢ଼ୀକରଣ କରାଯିବ । ଏହା ନିଯୁକ୍ତି ବୃଦ୍ଧି କରିବା ସହିତ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟକ ହୋଇ ପାରିବ ।

Get real time updates directly on you device, subscribe now.