fbpx

ଚେନ୍ନାଇ କ୍ରମାଗତ ଚାମ୍ପିୟନ ହେବା ପଛର ରହସ୍ୟ କ’ଣ: ଫାଇନାଲରେ ବିଜୟ ପଛରେ ରହିଛି ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଚଳିତ ସିଜିନର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଚେନ୍ନାଇ ସୁପର କିଙ୍ଗସ (ସିଏସକେ) । ପ୍ରତିପକ୍ଷ ଗୁଜରାଟ ଟାଇଟନ୍ସକୁ ଡକ ୱର୍ଥ ଲୁଇସ୍ (ଡିଏଲଏସ) ନିୟମ ଅନୁସାରେ ୫ ୱିକେଟରେ ହରାଇ ପୁଣି ଥରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର କମାଲ ଦେଖାଇଛନ୍ତି । ଗତ ୨୮ ତାରିଖରେ ଫାଇନାଲ ମ୍ୟାଚ ହେବା ନେଇ ନିର୍ଦ୍ଧାରିତ ହୋଇଥିଲେ ହେଁ ବର୍ଷା ପାଇଁ ତାହା ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଗୁଜରାଟ ୪ ୱିକେଟରେ ୨୧୪ ରନ୍ ସଂଗ୍ରହ କରିଥିଲା । ଜବାବରେ ୧୫ ଓଭରରେ ୫ ୱିକେଟ ହରାଇ ଚେନ୍ନାଇ ୧୭୧ ରନର ଟାର୍ଗେଟକୁ ହାସଲ କରିନେଇଥିଲା । ଏଥିସହ ଚେନ୍ନାଇ ୫ମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଥିଲା । ତେବେ ଫାଇନାଲରେ ଚେନ୍ନାଇ ଜିତିବା ପଛରେ ରହିଛି ୫ଟି ବଡ଼ କାରଣ ।

୧- ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିତିଥିଲେ ହେଁ ଚତୁରତାର ସହିତ ଫିଲଡିଂ ନିଷ୍ପତ୍ତି ନେଇଥିଲେ । ଦୁଇଟି ଜୀବନଦାନ ପାଇବା ପରେ ଶୁଭମନ ଗିଲ ବିସ୍ଫୋରକ ବ୍ୟାଟିଂ କରିଥିଲେ । ମାତ୍ର ଠିକଣା ସମୟରେ ଧୋନୀ ତାଙ୍କୁ ଷ୍ଟମ୍ପ ଆଉଟ୍ କରାଇଥିଲେ । ଗିଲଙ୍କ ୱିକେଟ ଚେନ୍ନାଇ ପାଇଁ ବହୁତ ମୂଲ୍ୟବାନ ଥିଲା ।
୨- ଚେନ୍ନାଇକୁ ୧୫ ଓଭରରେ ୧୭୧ ରନର ଟାର୍ଗେଟ୍ ମିଳିଥିଲା । ଫଳରେ ଦୁଇ ଓପନର ଋତୁରାଜ ଗାୟକୱାର୍ଡ ଓ ଡିଭୋନ କନୱେ ତୁଫାନ ଇନିଂସ ଖେଳିଥିଲେ । ଗାୟକୱାର୍ଡ ୧୬ଟି ବଲରୁ ୨୬ ଓ କନୱେ ୨୫ଟି ବଲରୁ ୪୭ ରନ୍ ସଂଗ୍ରହ କରିଥିଲେ ।

୩- ଚେନ୍ନାଇ ୭୮ ରନରେ ଦୁଇଟି ୱିକେଟ ହରାଇଥିଲେ ହେଁ ମଧ୍ୟମ କ୍ରମର ବ୍ୟାଟ୍ସମ୍ୟାନମାନେ ଦଳକୁ ସମ୍ଭାଳିଥିଲେ । ଇମ୍ଫାକ୍ଟ ଫ୍ଲେୟାର ଶିଭମ ଦୁବେ ୨୧ ବଲରୁ ୩୨ ଓ ଅଜିଙ୍କ୍ୟ ରାହାଣେ ୧୩ ବଲରୁ ୨୭ ରନ୍ କରିଥିଲେ ।

୪- ଧୋନୀ ଶୂନରେ ଆଉଟ୍ ହେବା ପରେ ରବିନ୍ଦ୍ର ଜାଡେଜା କ୍ରିଜକୁ ଆସିଥିଲେ । ଶେଷ ଦୁଇ ବଲରୁ ୧୦ ରନ ଆବଶ୍ୟକ ହେଉଥିଲେ ହେଁ ଜାଡେଜା ପେସର ମୋହିତ ଶର୍ମାଙ୍କୁ ଗୋଟିଏ ଛକା ଓ ଚୌକା ମାରି ଦଳକୁ ଜିତାଇଥିଲେ ।

୫- ଖେଳାଳିମାନେ ତ ପ୍ରଦର୍ଶନ କରିଥାନ୍ତି ମାତ୍ର ନିଷ୍ପତ୍ତି ଅଧିନାୟକ ନେଇଥାନ୍ତି । ଚେନ୍ନାଇ ପାଖରେ ଥିଲେ ମିଷ୍ଟର କୁଲ ଧୋନୀ । ନିଜେ କୌଣସି ରନ୍ ସଂଗ୍ରହ କରିନଥିଲେ ହେଁ ନିଜର ସୁଚତୁର ରଣନୀତିର ପ୍ରୟୋଗ କରି ସେ ପ୍ରତିପକ୍ଷଙ୍କ ଶକ୍ତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ । ଚେନ୍ନାଇ ବିଜୟ ପଛରେ ରହିଛି ଧୋନୀଙ୍କୁ ସିକ୍ରେଟ ଫର୍ମୂଲା, ଏହା ସବୁ କ୍ରୀଡ଼ାପ୍ରେମୀ ଭଲଭାବେ ଜାଣନ୍ତି ।

Get real time updates directly on you device, subscribe now.