fbpx

ଚିଲିକାରେ ପୁଣି ଫସିଲା ଭସାପୋଲ: ବିପଦରେ ଶତାଧିକ ଯାତ୍ରୀଙ୍କ ଜୀବନ, ରେସକ୍ୟୁ ଅପରେସନ୍ ଜାରି (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକାରେ ପୁଣି ଫସିଲା ଭସାପୋଲ । ଏହାଫଳରେ ଶତାଧିକ ଯାତ୍ରୀ ଜଳ ମଧ୍ୟରେ ଫସି ରହିଛନ୍ତି । ଉକ୍ତ ଭସାପୋଲରେ ଅନେକ ଯାତ୍ରୀଙ୍କ ବ୍ୟତୀତ ୧୫ଟି ବାଇକ୍, ୪ଟି ଚାରିଚକିଆ ଯାନ ରହିଛି । ତେବେ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ ଟିମ୍ ଲାଗି ପଡ଼ିଛନ୍ତି । ସାତପଡ଼ାରୁ ଜହ୍ନିକୁଡ଼ା ରୁଟରେ ଯିବା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ମୁତାବକ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକର ସାତପଡ଼ା-ଜହ୍ନିକୁଦା ମଝିରେ ଭସାପୋଲ ଫସିଯାଇଛି । ଫଳରେ ଶତାଧିକ ଯାତ୍ରୀଙ୍କ ଜୀବନ ଏବେ ଆଶଙ୍କା ମଧ୍ୟରେ ରହିଛି । ଜହ୍ନିକୁଦାଠରୁ ମାତ୍ର ୩ ଶହ ମିଟର ଦୂର ଚିଲିକା ମଧ୍ୟରେ ଭସାପୋଲ ଫସିଥିବା ଜଣାପଡ଼ିଛି । ତେବେ ଭସାପୋଲଟି ଆଉଟ୍ ଅଫ୍ ଚାନେଲ ହୋଇଯାଇଥିବାରୁ ତାହା ଫସି ରହିଛି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ମଧ୍ୟ ଚିଲିକାରେ ଭସାପୋଲ ଘଣ୍ଟାଏ ସମୟ ଧରି ଫସି ରହିଥିଲା । ଫଳରେ ୫୦ରୁ ଅଧିକ ଯାତ୍ରୀ ସଙ୍କଟଜନକ ପରିସ୍ଥିତିରେ ରହିଥିଲେ । ତେବେ ଚିଲିକାରେ କମ୍ ଜଳସ୍ତର କାରଣରୁ ଭସାପୋଲ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା । ପାଖାପାଖି ୧ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଭସାପୋଲ ଚିଲିକା କୂଳକୁ ଆସିଥିଲା ।

ଗତ ମାର୍ଚ୍ଚ ମାସରେ ଚିଲିକାରେ ଭସାପୋଲ ସେବାକୁ ବନ୍ଦ କରିଦିଆଯାଇଥିଲା । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । ଚିଲିକା ଅନ୍ତର୍ଗତ ସାତପଡ଼ାରୁ ଜହ୍ନିକୁଦା ପର୍ଯ୍ୟନ୍ତ ପଥରେ ବୋଟ ସେବା କାମ କରିଥାଏ । ଉକ୍ତ ୬ କମି ଅଞ୍ଚଳରେ ଯାତ୍ରା କରୁଥିବା ଭସାପୋଲ ସେବାକୁ ବନ୍ଦ କରି ଦିଆଯାଇଥିଲା ।

Get real time updates directly on you device, subscribe now.