fbpx

ନା ଅଛି ଇଣ୍ଟରନେଟ୍ , ନା ଅଛି ସ୍ମାର୍ଟଫୋନ୍, ଦେଶରେ ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ଅନଲାଇନ୍ କ୍ଲାସ୍ କେବଳ ସ୍ୱପ୍ନ

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଗତବର୍ଷ ଠାରୁ ଲକଡାଉନ୍ କ୍ରମାଗତ ଭାବରେ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ତେଣୁ ଏହା ମଧ୍ୟରେ ପିଲାମାନଙ୍କ ସ୍କୁଲ ପକ୍ଷରୁ ଅନଲାଇନ୍ କ୍ଲାସ୍ କରାଯାଉଛି । ଏହି ପରିପ୍ରେକ୍ଷୀରେ ଯେଉଁ ମାନଙ୍କ ପାଖରେ ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟର୍ ରହିଛି ସେମାନେ କ୍ଲାସ୍ କରିପାରୁଥିବା ବେେଳେ ଯେଉଁମାନଙ୍କ ପାଖରେ ମୋବାଇଲ୍ ନାହିଁ ସେମାନେ କ୍ଲାସ୍ କରିବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଚଳିତ ସପ୍ତାହରେ ଜାରି ହୋଇଥିବା ରିପୋର୍ଟ ମୁତାବକ ଦେଶରେ ଲକ୍ଷ ଲକ୍ଷ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍, ଲ୍ୟାପଟପ୍ ଓ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ନାହିଁ । ଯେଉଁ କାରଣରୁ ଏମାନେ ଅନଲାଇନ୍ କ୍ଲାସ୍ କରିପାରୁନାହାନ୍ତି । ତେବେ ଏହି ମାମଲାରେ ବିହାର ସବୁଠାରୁ ଆଗରେ ରହିଛି ।

ବିହାରରେ ପ୍ରାୟ ୪୦ ଲକ୍ଷ ପିଲା ଅନଲାଇନ୍ କ୍ଲାସ୍ ର ଲାଭ ଉଠାଇପାରୁନାହାନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶିକ୍ଷା, ମହିଳା ଏବଂ ଶିଶୁ ବିକାଶ, ଯୁବକ ଏବଂ କ୍ରୀଡ଼ା ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟି ସହିତ ଏହି ତଥ୍ୟ ସେୟାର୍ କରାଯାଇଛି । ଏହି ତଥ୍ୟ ମୁତାବକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଜମ୍ମୁ-କଶ୍ମୀରର ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ୍ ଏବଂ ଲାପଟପ୍ ନାହିଁ । ଏଥି ସହିତ, ଝାଡଖଣ୍ଡ ଏବଂ କର୍ଣ୍ଣାଟକର ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନ୍ କ୍ଲାସ୍ କରିବା ନିମନ୍ତେ ଉପକରଣର ଅଭାବ ନାହିଁ ।

ଜୁନ୍ ୨୧ ରେ ଅନୁଷ୍ଠିତ ଏକ ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହି ତଥ୍ୟ ଉପସ୍ଥାପନା କରିଥିଲେ । ଲକଡାଉନ୍ ସମୟରେ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଶିକ୍ଷା ବ୍ୟବଧାନ ପୂରଣ କରିବା ପାଇଁ କରାଯାଇଥିବା ପ୍ରୟାସର ଏକ ଅଂଶ ଭାବରେ ଏହି ତଥ୍ୟ ଅଂଶୀଦାର କରାଯାଇଛି । କୋଭିଡ -୧୯ ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ସମସ୍ତ ରାଜ୍ୟକୁ ଅନଲାଇନ୍ କ୍ଲାସ ସମ୍ବନ୍ଧୀୟ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛି । ଯଦିଓ ଏପର୍ୟ୍ୟନ୍ତ କୌଣସି ବି ରାଜ୍ୟ ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିନାହାଁନ୍ତି, କିନ୍ତୁ ଏପର୍ୟ୍ୟନ୍ତ କରାଯାଇଥିବା ପ୍ରାରମ୍ଭିକ ଆକଳନ ସାମନାକୁ ଆସିଛି । ଯାହା ଅତ୍ୟନ୍ତ ଚିନ୍ତାଜନକ ।

ତଥ୍ୟ ଅନୁସାରେ, ଆସାମରେ ୩୧ଲକ୍ଷ, ଝାଡଖଣ୍ଡରେ ୩୨.୫ ଲକ୍ଷ, କର୍ଣ୍ଣାଟକରେ ୩୧.୩ ଲକ୍ଷ ପିଲାଙ୍କ ପାଖରେ ଅନଲାଇନ୍ କ୍ଲାସ୍ କରିବାକୁ ଡିଭାଇସ୍ ନାହିଁ । ତେବେ ଓଡିଶାରେ ଏହି ସଂଖ୍ୟା ପ୍ରାୟ ୧୫ ଲକ୍ଷ, ହରିୟାଣାରେ ୧୦ ଲକ୍ଷ ରହିଛି । ସେହିପରି ଗୁଜୁରାଟରେ ୪୦ ପ୍ରତିଶତ ପିଲାଙ୍କ ପାଖରେ ଡିଭାଇସ୍ ଉପଲବ୍ଧ ନାହିଁ । ଉତ୍ତରପ୍ରଦେଶରେ ପାଖାପାଖି ସାଢ଼େ ୫ ଲକ୍ଷ ପିଲା ଶିକ୍ଷା ପାଇବାରୁ ବଞ୍ଚିତ ଥିବା ବେଳେ ଝାଡଖଣ୍ଡରେ ୬ ଲକ୍ଷ ୨୦ ହଜାର, ରାଜସ୍ଥାନରେ ୧ ଲକ୍ଷ ୮୦ ହଜାରରୁ ଅଧିକ ପିଲା ସ୍କୁଲ୍ ଯାଇନାହାନ୍ତି କି ଆଜି ଯାଏ ପାଠ ପଢ଼ିନାହାନ୍ତି ।

Get real time updates directly on you device, subscribe now.