fbpx

ମହିଳାଙ୍କୁ ଉଲଗ୍ନ କରି…. ପିଆଇ ଦେଲେ ପରିସ୍ରା: ମାତ୍ର ୧୫୦୦ ଟଙ୍କା ଆଗରେ ହାରିଗଲା ମାନବିକତା

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ଦେଶରେ ମହିଳା ବିରୋଧୀ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାରେ ବାରମ୍ବାର ବିଫଳ ହୋଇଛି ଆଇନ୍ । ମଣିପୁର ଘଟଣା ଥମିବା ପୂର୍ବରୁ ବିହାରର ପାଟନାରେ ସେହିଭଳି ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି । ମାତ୍ର ୧୫୦୦ ଟଙ୍କା ପାଇଁ ଜଣେ ମହିଳାଙ୍କୁ ଉଲଗ୍ନ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରାଯାଇଛି । କେବଳ ସେତିକି ନୁହେଁ, ଏହାପରେ ତାଙ୍କୁ ଅନ୍ୟ ଜଣଙ୍କ ପରିସ୍ରା ପିଇବା ପାଇଁ ମଧ୍ୟ ବାଧ୍ୟ କରାଯାଇଛି । ବର୍ତ୍ତମାନ ମହିଳା ଜଣକ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି ।

ଟଙ୍କା ଧାର ନେଇ ସୁଧ ଦେଇ ନ ପାରିବାରୁ ଆଜି ଗାଁ ଦାଣ୍ଡରେ ମହିଳାଙ୍କ ଇଜ୍ଜତକୁ ନିଲାମ କରିଦେଇଛନ୍ତି ମହାଜନ । ୨ ବର୍ଷ ପୂର୍ବରୁ ମହିଳାଙ୍କ ସ୍ୱାମୀ ଗ୍ରାମର ପ୍ରମୋଦ କୁମାର ସିଂହଙ୍କ ପାଖରୁ ମାତ୍ର ୧୫୦୦ ଟଙ୍କା ଉଧାର ନେଇଥିଲେ । ତେବେ ଗତବର୍ଷ ଏହାକୁ ସୁଝି ସାରିଥିବା ବେଳେ ବାରମ୍ବାର ଏହାର ସୁଧ ମାଗି ଆସୁଥିଲେ ପ୍ରମୋଦ । ତେବେ ଏହାକୁ ନେଇ ଗତ ରାତିରେ ପ୍ରମୋଦ ଏବଂ କିଛି ସହଯୋଗୀ ତାଙ୍କ ଘରକୁ ଆସି ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ମହିଳା । ଏହାପରେ ସମ୍ପୃକ୍ତ ଅଭିଯୁକ୍ତ ମହିଳାଙ୍କୁ ଉଲଗ୍ନ କରି ଖୁବ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଡ଼ ମାରିବା ପରେ ମହିଳାଙ୍କୁ ପରିସ୍ରା ପିଆଇ ଦେଇଥିବା ପୋଲିସକୁ ମହିଳା ଜଣକ ବୟାନ ଦେଇଛନ୍ତି । ପ୍ରମୋଦ ଏବଂ ପୁଅ ପୀୟୁଷଙ୍କ ବିରୋଧରେ ଏହି ମାମଲା ନେଇ ଅଭିଯୋଗ କରିଛନ୍ତି ପୀଡ଼ିତା ।

ତେବେ ଏହି ମାମଲାରେ ମହିଳାଙ୍କୁ ମାଡ଼ ହୋଇଥିବା ଘଟଣା ସତ ବୋଲି ସ୍ୱୀକାର କରିଛନ୍ତି ଫତୁହା ଡିଏସପି ସିୟାରାମ ଯାଦବ । କିନ୍ତୁ ପୀଡ଼ିତାଙ୍କୁ ଉଲଗ୍ନ କରି ପରିସ୍ରା ପିଆଇବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ତେବେ ଆହତ ମହିଳା ବର୍ତ୍ତମାନ ଖୁସରପୁର ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛନ୍ତି । ସେପଟେ ପୋଲିସ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆଗକୁ ବଢାଇଛି । ତେବେ ଅଭିଯୁକ୍ତ ପ୍ରମୋଦ, ପୁଅ ପୀୟୁଷଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଡିଏସପି ଯାଦବ ।

Get real time updates directly on you device, subscribe now.