fbpx

ଶେଷରେ ଦୁଃଖ ବୁଝିଲେ ଈଶ୍ୱର: ଆମେରିକାରେ ନୂଆ ଜୀବନ ଆରମ୍ଭ କରିବ ୪ ବର୍ଷର ଝିଅ ‘ନିରୁପା’, ୪ ବର୍ଷ ତଳର ଲୋମଟାଙ୍କୁରା କାହାଣୀ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ଏ ଦୁନିଆରେ ଯାହାର କେହି ନାହାନ୍ତି ତାକୁ ସ୍ୱୟଂ ଉପରବାଲା ସହାୟ ହୁଅନ୍ତି । ଏପରି କିଛି ଘଟିଛି ଗୋଟିଏ ୪ ବର୍ଷର ନିରୀହ ଶିଶୁ ‘ନିରୁପା’ ସହିତ । ଏଇ ନିରୀହ ଝିଅ ନିରୁପାର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଝରିଯିବ । ନିରୁପାର ବାପା-ମାଆ କିଏ ବୋଧହୁଏ କାହାକୁ ଜଣାନାହିଁ । ମାତ୍ର ନିରୁପାକୁ ଜନ୍ମଦେଇ ରାସ୍ତାକଡ଼ରେ ଫୋପାଡ଼ି ଦେଇ ତା’ର ମାଆ ଚାଲିଯାଇଥିଲେ ବୋଲି କୁହାଯାଉଛି । ବସୁନ୍ଧରା ଏହି କଅଁଳ ଶିଶୁକୁ ନୂଆ ଜୀବନ ଦେବା ସହ ତା’ର ନାମ ରଖିଥିଲା ‘ନିରୁପା ।

ନିରୁପାର ଅଧା ଶରୀରକୁ କୁକୁର ଝୁଣି ଖାଇ ଯାଇଥିଲେ । ଫଳରେ ତା’ର ମୁହଁ, ଜଙ୍ଘ, ଆଖି, ନାକ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଥିଲା । ଏପରି ଅବସ୍ଥାରେ ନିରୁପାକୁ ନେଇ କିଛି ସହୃଦୟ ବ୍ୟକ୍ତି କଟକ ବିଡ଼ାନାସୀ ସ୍ଥିତ ବସୁନ୍ଧରା ଅନାଥାଶ୍ରମରେ ପହଞ୍ଚାଇଥିଲେ । ଶିଶୁଟିର ଅବସ୍ଥା ଦେଖି ସେ ବଞ୍ଚିବ ବୋଲି କେହି ବିଶ୍ୱାସ କରିପାରି ନଥିଲେ । ଏହାପରେ ନିରୁପାକୁ ଶିଶୁଭବନରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ କିଛିଦିନ ପରେ ତା’ର ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଦେଖାଦେଇଥିଲା ।

୨୦୧୯ ମସିହା ଫେବୃଆରୀ ମାସ ୮ ତାରିଖ ସନ୍ଧ୍ୟା ସମୟରେ ରାଜଧାନୀ ଭୁବନେଶ୍ୱରର ପଟିଆର ରାସ୍ତାକଡ଼ରେ ଏକ ନବଜାତ ଶିଶୁକନ୍ୟାକୁ କୁକୁର ଝୁଣି ଖାଉଥିବା ଲୋକେ ଦେଖିଥିଲେ । ଏହାପରେ ସ୍ଥାନୀୟ ଜନତା ଶିଶୁକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଫୋନ୍ କରିଥିଲେ । ଏହାପରେ ଶିଶୁଭବନ ଓ ଏସସିବିରେ ମଧ୍ୟ ନିରୁପାର ଚିକିତ୍ସା ସମ୍ଭବ ହୋଇନଥିଲା । ମାତ୍ର ଠିକ୍ ସେଇ ସମୟରେ ଭୁବନେଶ୍ୱରରେ ପ୍ଲାଷ୍ଟିକ ସର୍ଜନଙ୍କ ଏକ ଜାତୀୟ ସମ୍ମିଳନୀରେ ତାମିଲନାଡ଼ୁର କୋଏମ୍ବାଟୁରର ଗଙ୍ଗା ହସ୍ପିଟାଲ ଜଣାଶୁଣା ସର୍ଜନ ପ୍ରଫେସର ଡାକ୍ତର ରାଜା ସେନାପତି ଯୋଗଦେଇଥିଲେ । ବସୁନ୍ଧରା ଲିଗାଲ ଅଫିସର ଉକ୍ତ ସମ୍ମିଳନୀକୁ ଯାଇ ଡାକ୍ତର ସେନାପତିଙ୍କ ସହିତ ଯୋଗଯୋଗ କରିଥିଲେ । ଏହାପରେ କୋଏମ୍ବାଟୁରରେ ନିରୁପାର ୩ଟି ଅପରେସନ କରାଯାଇଥିଲା ।

ତେବେ ନିରୁପାର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବାରୁ ତାକୁ କେହି ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିବାକୁ ରାଜି ହୋଇନଥିଲେ । ଉଦ୍ଧାର ସମୟରେ ତା’ର କୌଣସି ରୂପ ନଥିବାରୁ ତା’ର ନାମ ନିରୁପା ରଖାଯାଇଥିଲା । ଏହା ମଧ୍ୟରେ ଅନେକ ଭାରତୀୟ ଦମ୍ପତ୍ତି ନିରୁପାକୁ ମୁହଁ ମୋଡ଼ି ଦେଇ ଚାଲିଯାଇଥିଲେ । ମାତ୍ର ଏହା ମଧ୍ୟରେ ଈଶ୍ୱର ନିରୁପାର ଡାକ ଶୁଣିଥିଲେ । ସୁଦୂର ଆମେରିକାର ଡେଭିଡ୍ ବ୍ରାଣ୍ଟ କଟଲ ଓ ପତ୍ନୀ ଆନ୍ନା ଏଲିସେ କଟଲ ନିରୁପାକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିବାକୁ ରାଜି ହୋଇଛନ୍ତି ।

ସରକାର ମଧ୍ୟ ଏନେଇ ଏନଓସି ପ୍ରଦାନ କରିଛନ୍ତି । ରାସ୍ତାକଡ଼ରୁ ପାଖାପାଖି ୩ ବର୍ଷ ପୂର୍ବରୁ ଉଦ୍ଧାର ହୋଇଥିବା ନିରୁପାର ଦୁଃଖଦ କାହାଣୀ ଶୁଣିଲେ ଆଜି ବି ଆଖି ଛଳ ଛଳ ହୋଇଯାଉଛି । ଆସନ୍ତା ମେ କିମ୍ବା ଜୁନ ମାସରେ କଟକ ଦମ୍ପତ୍ତି ନିରୁପାକୁ ନେଇଯିବେ ବୋଲି ବସୁନ୍ଧରା ପକ୍ଷରୁ କୁହାଯାଇଛି । ତେବେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ନିଷ୍ପାପ ଶିଶୁଙ୍କୁ ଫିଙ୍ଗି ନଦେଇ ଠିକରେ ଉଦ୍ଧାର କରାଯାଇ ପାରିଲେ ଗୋଟିଏ ନିରୀହ ଶିଶୁର ଜୀବନ ବଞ୍ଚି ପାରିବ ବୋଲି ବସୁନ୍ଧରା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.