ନୂଆଦିଲ୍ଲୀ: ଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବେଲଜିୟମକୁ ପରାସ୍ତ କରି ୟୁରୋ ୨୦୨୪ କ୍ୱାର୍ଟର-ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଜନ ଭର୍ଟୋଙ୍ଘେନଙ୍କ ଏକ ବିଳମ୍ବିତ ଗୋଲ ଫ୍ୟାନ୍ସକୁ କ୍ୱାର୍ଟର-ଫାଇନାଲକୁ ପହଞ୍ଚାଇବାରେ ସହାୟକ ହୋଇଥିଲା । ସୋମବାର ଦିନ ଖେଳାଯାଇଥିବା ଏହି ମ୍ୟାଚରେ ବେଲଜିୟମକୁ ୧-୦ରେ ପରାସ୍ତ କରି ଫ୍ରାନ୍ସ ବିଜୟ ହାସଲ କରିଥିଲା । ଫ୍ରାନ୍ସ ତରଫରୁ ରାଣ୍ଡଲ କୋଲୋ ମୁଆନୀ ଏକମାତ୍ର ଗୋଲ ସ୍କୋର କରିଥିଲେ । ଏହି ମ୍ୟାଚରେ ଦୁଇ ଟିମ୍ ପରସ୍ପରଙ୍କୁ ବେଶ୍ ଟକ୍କର ଦେଉଥିଲେ । କେହି କାହା ଉପରେ ଗୋଲ ସ୍କୋର କରିପାରୁନଥିଲେ ।
ଏହି ମ୍ୟାଚରେ ଷ୍ଟାର ଖେଳାଳି କିଲିଆନ ଏମବାପ୍ପେ ନିଜର ସମସ୍ତ ପ୍ରୟାସ ପରେ ବି ଗୋଟିଏ ବି ଗୋଲ ସ୍କୋର କରିପାରିନଥିଲେ । କୌଣସି ଟିମ୍ ଗୋଲ ସ୍କୋର କରି ନପାରିବାରୁ ଅତିରିକ୍ତ ସମୟ ଦିଆଯିବ ବୋଲି ଅନୁମାନ କରାଯାଉଥିଲା । ମାତ୍ର ଏହି ସମୟରେ ମ୍ୟାଚର ମୋଡ଼ ବଦଳି ଯାଇଥିଲା । ର୍ୟାଣ୍ଡଲ କୋଲୋ ମୁଆନୀଙ୍କ ଏକ ଶର୍ଟ ଜନ ଭର୍ଟୋଙ୍ଘେନଙ୍କ ଠାରେ ବାଜି ଗୋଲ ପୋଷ୍ଟକୁ ଚାଲିଯାଇଥିଲା । ଏହାପରେ ଫ୍ରାନ୍ସ ୧-୦ରେ ଆଗେ ଯିବାରୁ ବେଲଜିୟମ ବରାବର କରିବାକୁ ବହୁ ପ୍ରୟାସ କରିଥିଲା, ମାତ୍ର ଫ୍ରାନ୍ସ ବେଲଜିୟମକୁ ସୁଯୋଗ ଦେଇନଥିଲା ।
ପୂର୍ବରୁ ଏକ ମ୍ୟାଚ ଖେଳିବା ସମୟରେ ଏମବାପ୍ପେଙ୍କ ନାକ ଫାଟିଯାଇଥିଲା । ସେଥିପାଇଁ ସେ ନାକରେ ମାସ୍କ ପିନ୍ଧି ଖେଳିଥିଲେ । ସେ ପାଞ୍ଚଟି ଶଟ ମାରିଥିଲେ ଗୋଟିଏ ବି ଟାର୍ଗେଟରେ ପହଞ୍ଚି ପାରିନଥିଲା । ଦ୍ୱିତୀୟ ସ୍ଥାନରେ ଥିବା ଫ୍ରାନ୍ସ ଓ ତୃତୀୟ ସ୍ଥାନରେ ଥିବା ବେଲଜିୟମ୍ ଟିମ୍ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା । ଫ୍ରାନ୍ସର ଏହି ବିଜୟ ପରେ ଦଳର କୋଚ ପ୍ରତିକ୍ରିୟା ଦେଇଥିଲେ । ଏକ ଶକ୍ତିଶାଳୀ ଦଳ ବେଲଜିୟମ ବିରୋଧରେ ବିଜୟ ହାସଲ ପରେ ସେ ଖୁସି ବ୍ୟକ୍ତ କରିବା ସହ ଫ୍ରାନ୍ସ ନିକଟରେ ଅନେକ ସୁଯୋଗ ରହିଥିଲା ବୋଲି ସେ କହିଥିଲେ ।