fbpx
BSKY
BJD SHG SKY
BJD MC SKY

୧୯୪୭ରୁ ୨୦୨୩: ସ୍ୱାଧିନତାର ୭୬ ବର୍ଷ ପରେ ଦେଶରେ କ’ଣ ସବୁ ପରିବର୍ତ୍ତନ ଘଟିଛି

ନୂଆଦିଲ୍ଲୀ: ଦେଶ ସ୍ୱାଧିନ ହେବାର ଆଜି ୭୬ ବର୍ଷ ପୂରଣ ହୋଇଛି । ଏହି ୭୬ ବର୍ଷ ମଧ୍ୟରେ ଦେଶରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନାର ମୂଲ୍ୟଠାରୁ ଆରମ୍ଭ କରି ପେଟ୍ରୋଲ ଦାମ ବହୁତ ବୃଦ୍ଧି ପାଇଛି । ସମୟ ଥିଲା ଦେଶର ଜନସଂଖ୍ୟା ୩୪ କୋଟି ଥିଲା, ମାତ୍ର ଆଜି ତାହା ୧୪୦ କୋଟିରେ ପହଞ୍ଚିଛି । ସେତେବେଳେ ୯୦ ଟଙ୍କାରେ ୧୦ ଗ୍ରାମରେ ସୁନା ମିଳୁଥିଲା, ମାତ୍ର ଆଜି ତାହା ୬୦ ହଜାର ଟପିଛି । ପୂର୍ବରୁ ପେଟ୍ରୋଲ ଲିଟର ୨୭ ପଇସା ଥିବାବେଳେ ଆଜି ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ।

୧୯୫୧ରେ ହୋଇଥିବା ପ୍ରଥମ ଜନଗଣନା ସମୟରେ ଦେଶର ଜନସଂଖ୍ୟା ୩୪ କୋଟି ଥିଲା । ୨୦୧୧ ବେଳକୁ ତାହା ବୃଦ୍ଧି ପାଇ ୧୨୧ କୋଟିରେ ପହଞ୍ଚି ଯାଇଥିଲା । ୨୦୨୩ ମସିହା ଜୁଲାଇ ସୁଦ୍ଧା ଦେଶର ଜନସଂଖ୍ୟା ୧୩୮ କୋଟି ଟପିଥିବା ଅନୁମାନ କରାଯାଇଥିଲା । ୧୯୫୦-୫୧ରେ ଜଣେ ଲୋକର ବାର୍ଷିକ ରୋଜଗାର ୨୬୫ ଟଙ୍କା ଥିଲା । ମାତ୍ର ଆଜି ଜଣେ ବ୍ୟକ୍ତି ମାସକରୁ ନିଜର ମୋବାଇଲ ଡାଟାରେ ଏହାଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଦେଉଛି । ସ୍ୱାଧୀନତା ପରେ ପ୍ରତି ବ୍ୟକ୍ତିର ବାର୍ଷିକ ରୋଜଗାର ଶହେ ଗୁଣ ବଢ଼ିଯାଇଛି । ୨୦୨୨-୨୩ରେ ପ୍ରତି ବ୍ୟକ୍ତିର ଆଭରେଜ୍ ଆୟ ୧.୭୦ ଲକ୍ଷରୁ ଅଧିକ ଥିଲା ।

ସ୍ୱାଧିନତା ସମୟରେ ୨୫ କୋଟିରୁ ଅଧିକ ଲୋକ ଗରିବୀ ସୀମାରେଖା ତଳେ ରହିଥିଲେ । ୧୯୫୬-୫୭ରେ ଦେଶର ୨୧.୫ କୋଟି ଲୋକ, ୨୦୧୧-୧୨ରେ ୨୬.୯ କୋଟି ଲୋକ ଗରିବୀ ସୀମାରେଖା ତଳେ ଥିଲେ । ୧୯୭୨-୭୩ରେ ଦେଶର ବେକାରୀ ହାର ୮.୩୫ ପ୍ରତିଶତ ରହିଥିବା ବେଳେ ୨୦୨୧-୨୨ରେ ୪.୧ ପ୍ରତିଶତ ରହିଥିଲା । ୧୯୫୦-୫୧ରେ ଦେଶର ଜିଡିପି ୪.୯୬ ଲକ୍ଷ କୋଟି ରହିଥିବା ବେଳେ ୨୦୨୨-୨୩ରେ ୧୫୭ ଲକ୍ଷ କୋଟିରୁ ଅଧିକ ହୋଇଯାଇଥିଲା ।

ସ୍ୱାଧିନତା ସମୟରେ ଦେଶରେ ୩୦ଟି ମେଡିକାଲ କଲେଜ ରହିଥିବା ବେଳେ ଏବେ ୭୦୦ରୁ ଅଧିକ ରହିଛି । ସେତେବେଳେ ସାରା ଦେଶରେ ୨,୦୧୪ଟି ସରକାରୀ ହସ୍ପିଟାଲ ରହିଥିବା ବେଳେ ଏବେ ତାହା ୪୧ ହଜାର ଅତିକ୍ରମ କରିବା ସହିତ ଡାକ୍ତରଙ୍କ ସଂଖ୍ୟା ୧୩ ଲକ୍ଷରୁ ଅଧିକ ରହିଛି । ୧୯୫୧ରେ ଏକ ହଜାର ଶିଶୁଙ୍କ ମଧ୍ୟରେ ମୃତ୍ୟୁ ହାର ୧୪୬ ରହିଥିବା ବେଳେ ୨୦୨୦ରେ ତାହା ୨୮କୁ ହ୍ରାସ ପାଇଥିଲା । ସ୍ୱାଧିନତା ସମୟରେ ଦେଶବାସୀଙ୍କ ଆଭରେଜ ଆୟୁଷ ୩୪ ବର୍ଷ ରହିଥିବା ବେଳେ ଏବେ ତାହା ବଢ଼ି ୬୯.୭ ବର୍ଷରେ ପହଞ୍ଚିଛି ।

୧୯୫୧ରେ ଏକ ହଜାର ପୁରୁଷଙ୍କ ମଧ୍ୟରେ ୯୪୬ ମହିଳା ରହିଥିଲେ । ମାତ୍ର ଏବେ ମହିଳାଙ୍କ ସଂଖ୍ୟା ବଢ଼ି ୧୦୨୦ରେ ପହଞ୍ଚି ଯାଇଛି । ସ୍ୱାଧିନତା ସମୟରେ ପେଟ୍ରୋଲ ଲିଟର ୨୭ ପଇସା ଥିବାବେଳେ ୨୦୦୦ରେ ୨୯ ଟଙ୍କାରେ ପହଞ୍ଚିଥିଲା । ୧୯୪୮ ମସିହା ମାର୍ଚ୍ଚ ୩୧ ସୁଦ୍ଧା ଦେଶରେ ପାଖାପାଖି ୧.୪୦ ଲକ୍ଷ ପ୍ରାଇମେରୀ ସ୍କୁଲ ରହିଥିବା ବେଳେ ୧୨,୬୯୩ ମଧ୍ୟ ଓ ହାଇସ୍କୁଲ ଥିଲା । ମାତ୍ର ଆଜି ଦେଶରେ ୧୫ ଲକ୍ଷ ସ୍କୁଲ ରହିଛି । ସେତେବେଳେ ୪୧୪ଟି କଲେଜ ରହିଥିବା ବେଳେ ଏବେ ଉକ୍ତ ସଂଖ୍ୟା ୪୯ ହଜାର ଟପି ଯାଇଛି ।

୧୯୫୨ରେ ୬.୨୫ ଲକ୍ଷ ମାମଲା ଦାୟର ହୋଇଥିବା ବେଳେ ୨୦୨୧ରେ ୬୦ ଲକ୍ଷ ମାମଲା ଦାୟର ହେବା ସହ ୨୯ ହଜାର ହତ୍ୟା ମାମଲା ରହିଥିଲା । ୧୯୭୧ରେ ୨,୪୮୭ ଦୁଷ୍କର୍ମ ମାମଲା ରହିଥିବା ବେଳେ ୨୦୨୧ରେ ସାଢ଼େ ୩୧ ହଜାର କେସ ଦାୟର ହୋଇଥିଲା । ୧୯୫୦-୫୧ରେ ଜିଡିପିରେ କୃଷିର ଯୋଗଦାନ ୫୨ ପ୍ରତିଶତ ରହିଥିବା ବେଳେ ୨୦୨୨-୨୩ରେ ତାହା ହ୍ରାସ ପାଇ ୨୦ ପ୍ରତିଶତରେ ପହଞ୍ଚିଥିଲା । ୧୯୫୧ରେ ଦେଶରେ ୩ ଲକ୍ଷ ପଞ୍ଜିକୃତ ଗାଡ଼ି ରହିଥିବା ବେଳେ ଏବେ ୩୫ କୋଟି ଟପିଛି । ସେତେବେଳେ ବର୍ଷକୁ ଟ୍ରେନରେ ୧୨୮ କୋଟି ଯାତ୍ରୀ ଯାତ୍ରା କରୁଥିବା ଏବେ ତାହା ୩୫୦ କୋଟିରେ ପହଞ୍ଚିଛି । ୧୯୫୧ରେ ୧୯୭ କୋଟିର ବଜେଟ ରହିଥିବା ବେଳେ ୨୦୨୩ରେ ତାହା ୪୫ ଲକ୍ଷ କୋଟିରେ ପହଞ୍ଚିଛି ।

Get real time updates directly on you device, subscribe now.