ଆମେରିକା, ଚୀନ୍, ବ୍ରିଟେନ ପରି ବିଶ୍ୱର ବଡ ବଡ ଦେଶକୁ ପଛରେ ପକାଇ ଦେଲା ଭାରତ, ତେବେ ଏହା କେଉଁ ମାମଲାରେ ଆସନ୍ତୁ ଜାଣିନେବା
ନୂଆଦିଲ୍ଲୀ: ଭାରତ ଏବେ ବିଶ୍ୱର ସବୁଠାରୁ ଦ୍ରୁତ ଅର୍ଥବ୍ୟବସ୍ଥାରେ ସାମିଲ ହୋଇଛି । ଆର୍ଥିକ କ୍ଷେତ୍ରରେ ଭାରତର ଏହି ଦ୍ରୁତ ପ୍ରଗତି ଲାଗି ଭାରତ ବିଶ୍ୱସ୍ତରରେ ପ୍ରଶଂସା ବି ସାଉଁଟିବାରେ ଲାଗିଛି । ଏବେ ଭାରତର ଅର୍ଥନୀତି ଲାଗି ଆଉ ଏକ ଖୁସି ଖବର ଆସିଛି । ବିଦେଶୀ ନିବେଶ ମାମଲା(ଏଫଡିଆଇ) ରେ ଭାରତ ଆମେରିକା, ଚୀନ୍, ବ୍ରିଟେନ ସହିତ ବିଶ୍ୱର ବହୁ ବଡ ବଡ ଦେଶକୁ ପଛରେ ପକାଇ ଦେଇଛି । ବାଣିଜ୍ୟ ଓ ବିକାଶ ଉପରେ ଆୟୋଜିତ ସଂଯୁକ୍ତ ରାଷ୍ଟ୍ର ସମ୍ମିଳନୀ(ଅଙ୍କଟାଡ୍)ର ତାଜା ରିପୋର୍ଟରେ କୁହାଯାଇଛି ବର୍ଷ ୨୦୨୨ରେ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ବିକଶିତ ଦେଶରେ ଏହା ୩୭ ପ୍ରତିଶତ ହ୍ରାସ ପାଇଛି ।
ବୁଧବାର ଜାରି କରାଯାଇଥିବା ଅଙ୍କଟାଡ୍ ରିପୋର୍ଟରେ କୁହାଯାଇଛି, ବର୍ଷ ୨୦୨୨ରେ ଭାରତ ପ୍ରତ୍ୟକ୍ଷ ବିଦେଶୀ ନିବେଶ ମାମଲାରେ ବିଶ୍ୱର ବହୁ ବଡ ବଡ ଦେଶକୁ ପଛରେ ପକାଇ ଦେଇଛି । ଦେଶରେ ଏଫଡିଆଇ ୧୦ ପ୍ରତିଶତ ବୃଦ୍ଧି ପାଇ ୪୯ ଅରବ ଡଲାରରେ ପହଞ୍ଚିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିକଶିତ ଦେଶର ଅର୍ଥବ୍ୟବସ୍ଥାରେ ଏ କ୍ଷେତ୍ରରେ ସବୁଠାରୁ ଅଧିକ ହ୍ରାସ ପରିଲକ୍ଷିତ ହୋଇଛି । ପୂର୍ବ ବର୍ଷ ଅପେକ୍ଷା ୨୦୨୨ରେ ଏହିସବୁ ଦେଶରେ ଏଫଡିଆଇ ୩୭ ପ୍ରତିଶତ ହ୍ରାସ ପାଇ ୩୭୮ ଡଲାରରେ ପହଞ୍ଚିଛି । ରିପୋର୍ଟ ମୁତାବିକ ବିଦେଶୀ ନିବେଶ ଜରିଆରେ ଭାରତ ଏବେ ବିଶ୍ୱ ସ୍ତରରେ ନୂତନ ପରିଯୋଜନା ଘୋଷଣା କରିବା କ୍ଷେତ୍ରରେ ତୃତୀୟ ଓ ଅନ୍ତଃରାଷ୍ଟ୍ରୀୟ ପରିଯୋଜନା ଆର୍ଥିକ ବ୍ୟାପାର ମାମଲାରେ ଦ୍ୱିତୀୟ ସର୍ବବୃହତ ଦେଶ ପାଲଟିି ଯାଇଛି ।
ୱାର୍ଲ୍ଡ ଇନଭେଷ୍ଟମେଣ୍ଟ ରିପୋର୍ଟ ୨୦୨୩ରେ କୁହାଯାଇଛି ୨୦୨୦ରେ କରୋନା ଭାଇରସ୍ ମହାମାରୀ ପ୍ରକୋପ ସମୟରେ ଏଫଡିଆଇରେ ଦ୍ରୁତ ହ୍ରାସ ପରିଲକ୍ଷିତ ହେବା ପରେ ବର୍ଷ ୨୦୨୧ରେ ପୁଣି ମଜଭୁତ ସ୍ଥିତି ଦେଖଇବାକୁ ମିଳିଥିଲା । କିନ୍ତୁ ୨୦୨୨ରେ ପୁଣି ଥରେ ବୈଶ୍ୱିକ ଏଫଡିଆଇ ପ୍ରବାହ ୧୨ ପ୍ରତିଶତ ହ୍ରାସ ପାଇ ୧.୩ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା । ଭାରତରେ ଯେଉଁଠି ୧୦ ପ୍ରତିଶତ ଏଫଡିଆଇ ଆସିଛି ସେଠି ଚୀନ୍ ରେ ମାତ୍ର ୫ ପ୍ରତିଶତ ବାର୍ଷିକ ବୃଦ୍ଧି ସହିତ ମୋଟ ନିବେଶ ୧୮୯ ରହିଛି । ଏହା ବ୍ୟତିତ ସିଙ୍ଗାପୋରରେ ଏଫଡିଆଇ ୮ ପ୍ରତିଶତ ବଢି ୧୪୧ ଅରବ ଡଲାରରେ ପହଞ୍ଚିଛି ।
ଗତ ବର୍ଷ ୨୦୨୨ରେ ଯେଉଁ ୫ ଦେଶକୁ ସବୁଠାରୁ ଅଧିକ ଏଫଡିଆଇ ଆସିଛଇ ସେଥିମଧ୍ୟରେ ରହିଛି ଚୀନ୍, ହଙ୍ଗକଙ୍ଗ, ସିଙ୍ଗାପୁର, ଭାରତ, ୟୁଏଇ । ଏହି ୫ ଟି ଦେଶକୁ ମୋଟ ୮୦ ପ୍ରତିଶତ ଏଫଡିଆଇ ଆସିଛି । ତେବେ ଭାରତରେ ବିଦେଶୀ ନିବେଶ ବୃଦ୍ଧି ପଛର ପ୍ରମୁଖ କାରଣ ହେଉଛି ଦେଶ ଦ୍ରୁତ ଗତିରେ ବିକାଶ ପଥରେ ଆଗକୁ ବଢୁଛି ।