fbpx

Google ଆରମ୍ଭ କଲା ଛଟେଇ ପ୍ରକ୍ରିୟା: ଅନେକ କର୍ମଚାରୀଙ୍କୁ ଲାଗିବ ବଡ଼ ଝଟକା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଭୟଙ୍କର ଭାବେ ଆର୍ଥିକ ମାନ୍ଦାବସ୍ଥା ଦେଖା ଯାଇଛି । ଏହି କାରଣରୁ ମେଟା, ଆମାଜନ, ମାଇକ୍ରୋସଫ୍ଟ ପରି ଅନେକ ବଡ଼ ବଡ଼ ଟେକ କମ୍ପାନୀମାନେ ନିଜର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରୁଛନ୍ତି । ପୂର୍ବରୁ ଗୁଗଲ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ପାଇଁ ଘୋଷଣା କରିଥିଲା । ଏବେ କମ୍ପାନୀ ଚୀନ ଡିଭିଜନରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଗୁଗଲ ନିଜର ଚୀନ ଅଫିସରୁ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରିଛି । ଗ୍ଲୋବାଲ ସ୍ତରରେ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ କମ୍ପାନୀର ସିଇଓ ସୁନ୍ଦର ପିଚାଇ ଘୋଷଣା କରିବା ପରେ ଏବେ ଚୀନ ଡିଭିଜନରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ, ସାଲାରି ଷ୍ଟାଣ୍ଡାର୍ଡ କୁ ରିସେଟ କରିବାକୁ କମ୍ପାନୀ ଚୀନ ଅଫିସରେ ଛଟେଇ କରୁଛି । ଏଥିସହିତ ମୋଟାମୋଟି ଭାବେ କାର୍ଯ୍ୟ ଅଭିଜ୍ଞତାରେ ସୁଧାର ଆଣିବା ଓ ଅପରେଟିଂ କଷ୍ଟକୁ ହ୍ରାସ କରିବା ପାଇଁ ପ୍ରୟାସ କରାଯାଉଛି । କମ୍ପାନୀର ଉଚ୍ଚ ବେତନଧାରୀ କର୍ମଚାରୀମାନେ ଚୀନର ଛଟେଇରେ ବେଶି ପ୍ରଭାବିତ ହେବେ ।

ଜଣାପଡ଼ିଛି ଯେ, ଯଦି କମ୍ପାନୀର କିଛି କର୍ମଚାରୀ ମାର୍ଚ୍ଚ ୧୦ ପୂର୍ବରୁ କାମ ଛାଡ଼ି ଦିଅନ୍ତି ତେବେ ସେମାନଙ୍କୁ ଗତ ମାସର ସାଲାରି, ଷ୍ଟକ, ବାର୍ଷିକ ଲିଭ୍ ରିହାତି, ସିଏନୱାଇ କ୍ୟାଶ ଓ ମେଡିକାଲ ଇନ୍ସ୍ୟୁରାନ୍ସ ମିଳିବ । କିଛି କର୍ମଚାରୀଙ୍କୁ ୩ ମାସର ବଫର ପିରିଅଡ଼ ମଧ୍ୟ ଦିଆଯାଉଛି । ସେ କ୍ଷେତ୍ରରେ ସେମାନଙ୍କୁ ସାଲାରି ମିଳିବ ମାତ୍ର କାର୍ଯ୍ୟ କରିବେ ନାହିଁ । ଚୀନର ଆଇନ ହିଁ କର୍ମଚାରୀଙ୍କ ପାଇଁ ଏହି ସମସ୍ୟା ସୃଷ୍ଟି କରିଛି ବୋଲି କୁହାଯାଉଛି । ଚୀନ ପୂର୍ବରୁ ଗୁଗଲ ଭାରତ ଡିଭିଜନରୁ ଛଟେଇ କରିଥିଲା । ଗତ ମାସରେ କମ୍ପାନୀର ଅଲଗା ଅଲଗା ଡିଭିଜନରୁ ପାଖାପାଖି ୪୫୦ ଜଣ କର୍ମଚାରୀଙ୍କୁ ଅଚାନକ ଚାକିରିରୁ ବିଦା କରାଯାଇଥିଲା ।

Get real time updates directly on you device, subscribe now.