ଏଣିକି ଆଉ ଠକି ପାରିବେନି ଜିଏସଟି: ଠକୁଥିବା ବେପାରୀ, ବ୍ୟବସାୟୀ କିମ୍ବା ଫାର୍ମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଇଡି

ନୂଆଦିଲ୍ଲୀ: ଜିଏସଟି (ସେବା ଓ ଦ୍ରବ୍ୟ ଟିକସ) ପଇଠ କ୍ଷେତ୍ରରେ ଘୋଟାଲାକୁ ରୋକିବା ଲାଗି ସରକାର ଏବେ ନେଇଛନ୍ତି ବଡ ନିଷ୍ପତ୍ତି । ସରକାର ଜିଏସଟି ନେଟୱାର୍କକୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନକୁ ଆଣିବା ଲାଗି ଅଧିସୂଚନା ଜାରି କରିଛନ୍ତି । ଏବେ ଜିଏସଟି ସହ ଜଡିତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଧା ହସ୍ତକ୍ଷେପ କରିବ । ଜିଏସଟି ଠକୁଥିବା ବେପାରୀ, ବ୍ୟବସାୟୀ କିମ୍ବା ଫାର୍ମ ବିରୁଦ୍ଧରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଏହି ନିୟମ ଲାଗୁ ହେବା ପରେ ଜିଏସଟି ଅନ୍ତର୍ଗତ ସମସ୍ତ ଦୁର୍ନିତୀ ଯେପରିକି ନକଲି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍, ନକଲଇ ଇନଭଏସ୍ ଇତ୍ୟାଦି ପିଏମଏଲଏ ଅଧିନିୟମ ଅନ୍ତର୍ଭୁକ୍ତ ହେବ । ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମ ବିଭାଗଟିକସ ଚୋରୀ ରୋକିବା ଲାଗି ଯଥା ସମ୍ଭବ ପ୍ରୟାସ କରୁଛି । ଏଣୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଜିଏସଟି ନେଟୱାର୍କ ପିଏମଏଲଏ ଅଧୀନକୁ ଅଣାଯିବ । ଏବେ ଜିିଏସଟି ସହ ଜଡିତ ମାମଲାରେ ଇଡି ସିଧା ହସ୍ତକ୍ଷେପ କରିବ । ଜିଏସଟି ନେଟୱାର୍କର ସଂପୂର୍ଣ୍ଣ ଡାଟା ଇଡି ସହ ସେୟାର କରାଯିବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ମନି ଲଣ୍ଡ୍ରିଂକୁ ରୋକିବା ଓ ଏଥିରେ ସାମିଲ ସମ୍ପତ୍ତିକୁ ଜବତ କରିବା ଲାଗି ପିଏମଏଲଏ ବା ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ତିଆରି କରାଯାଇଛି । ଏହି ଆକ୍ଟ ଜରିଆରେ ସରକାରଙ୍କୁ ବେଆଇନ ଭାବରେ ଜମା ଧନ ସଂପତ୍ତିକୁ ଜବତ କରିବାର ଅଧିକାର ଦିଆଯାଇଛି । ୨୦୦୨ରେ ଏହି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ସଂସଦରେ ପାରି ହୋଇଥିଲା ଓ ୨୦୦୫ରୁ ଏହା ଲାଗୁ ହୋଇଥିଲା ।