fbpx

ଅଗଷ୍ଟ ୩ ତାରିଖରେ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଲଗାଣ ବର୍ଷା ଜାରି ରହିଛି । ବର୍ଷା କାରଣରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ରାଜ୍ୟର ୯ଟି ଜିଲ୍ଲାର ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ବର୍ଷା ଓ ବନ୍ୟା ସ୍ଥିତି କାରଣଣୁ ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଗତ ଦୁଇ ଦିନ ଧରି ରାଜ୍ୟରେ କ୍ରମାଗତ ଭାବେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୦.୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବିଭିନ୍ନ ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥ ଏହି ପାଣିରେ ବୁଡ଼ି ଯାଇଛି । ଫଳରେ ଜନସାଧାରଣଙ୍କ ଗମନାଗମନରେ ଘୋର ସମସ୍ୟା ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ରାସ୍ତା ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଅନ୍ୟ କିଛି ସ୍ଥାନକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

ପ୍ରବଳ ବର୍ଷା କାରଣରୁ ରାଜ୍ୟର ୯ଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଏହି ଜିଲ୍ଲାଗୁଡ଼ିକରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି । ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ବଲାଙ୍ଗିର, ରାୟଗଡ଼ା, କେନ୍ଦୁଝର, ସୁବର୍ଣ୍ଣପୁର, ବରଗଡ଼ ଓ ଅନୁଗୁଳ ଆଦି ଜିଲ୍ଲାର ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଲଗାଣ ବର୍ଷା କାରଣରୁ ଆଜି ମଧ୍ୟ ରାଜ୍ୟର ୧୦ଟି ଜିଲ୍ଲାରେ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା । କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଏଥିସହିତ ଟ୍ୱିନ ସିଟି ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଥିଲା ।

Get real time updates directly on you device, subscribe now.