fbpx

ଭୟଙ୍କର ନିଆଁରେ ଜଳୁଛି ‘ଗ୍ରୀସ’ ଜଙ୍ଗଲ: ୨୦ ପ୍ରବାସୀଙ୍କ ମୃତ୍ୟୁ ନେଇ ସୂଚନା

ନୂଆଦିଲ୍ଲୀ: ଗ୍ରୀସକୁ ଘାରିଛି ଅଗ୍ନିକାଣ୍ଡର ଚିନ୍ତା । ସାରା ଜଙ୍ଗଲ ଏବେ ଭୟଙ୍କର ନିଆଁ ଭିତରେ ଝଲସିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟପିବାରେ ଲାଗିଛି ଏହି ଭୟଙ୍କର ନିଆଁ । ୪ ଦିନରୁ ଭୀଷଣ ନିଆଁରେ ଜଳିଚାଲିଛି ତୁର୍କୀ ସୀମା ନିକଟରେ ଥିବା ଗ୍ରୀସ ଜଙ୍ଗଲ । ନିଆଁ ଭୟରେ ଅନେକ ଲୋକ ପଳାୟନ କରିଥିବା ବେଳେ କିଛି ଲୋକଙ୍କୁ ଉଦ୍ଦାର କରାଯାଇଛି । ତେବେ ଏହି ନିଆଁର ଝାସରେ ପ୍ରାୟ ୨୦ ଜଣ ପ୍ରବାସୀ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ଗ୍ରୀସ ଜଙ୍ଗଲ ବ୍ୟତୀତ ସ୍ପେନର କେନରି ଦ୍ୱୀପରେ ଥିବା ଟେନରିଫ ଜଙ୍ଗଲ ମଧ୍ୟ ନିଆଁର ବଶୀଭୂତ ହୋଇ ରହିଛି ।

ସୂଚନା ଅନୁସାରେ, ଗ୍ରୀସ ସହିତ ସ୍ପେନର ମଧ୍ୟ ଚିନ୍ତା ବଢାଇ ଦେଇଛି ଭୀଷଣ ନିଆଁ । ନିଆଁର ଭୟାବହତା ସାରା ଦେଶକୁ କବଳିତ କରି ରଖିଛି । ଗ୍ରୀସ ଜଙ୍ଗଲରେ ଏହି ନିଆଁରେ ପ୍ରାୟ ୨୦ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଆଉ କିଛି ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଇଛି ପ୍ରଶାସନ । ମୃତକ ପ୍ରବାସୀମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ, କିନ୍ତୁ ବେଆଇନ ଭାବରେ ସେମାନେ ଜଙ୍ଗଲ ଭିତରକୁ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି । ତେବେ ନିଆଁ ଥମିବାର ନାଁ ନେଉ ନଥିବାରୁ ପ୍ରଶାସନ ଏବେ ନିଆଁ ଲିଭା କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିଛି ।

ସେପଟେ ଜଙ୍ଗଳରେ ବ୍ୟପୁଥିବା ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀ ଏବଂ ହେଲିକପ୍ଟରକୁ ମୁତୟନ କରାଯାଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଏହାକୁ ରୋକିବା କଷ୍ଠକର ପାଠ ହୋଇ ପଡ଼ିଛି । ବିଶେଷ କରି ଇଭିୟା, କିଥୋନ ଦ୍ୱୀପ ଏବଂ ଏଥେନ୍ସ ବୋଏନ୍ସିଆ ଆଦି ସ୍ଥାନରେ ଏହା ଭୟଙ୍କର ରୂପ ନେଇଛି । ଜଙ୍ଗଳରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ତାପମାତ୍ରା ମଧ୍ୟ ବୃଦ୍ଧି ପାଇ ୪୧ ଡିଗ୍ରୀରେ ପହଞ୍ଚିଛି ।

Get real time updates directly on you device, subscribe now.