fbpx

GST ପରିଷଦ ବୈଠକ ଆଜି: ମହଙ୍ଗା ହେବ ପାନ ମସଲା, ଗୁଟଖା, ସରକାର ବଢ଼ାଇବେ ଅତିରିକ୍ତ ଟ୍ୟାକ୍ସ!

ନୂଆଦିଲ୍ଲୀ: ଆଜି ଦ୍ରବ୍ୟ ଓ ସେବା କର (ଜିଏସଟି) କାଉନସିଲର ୪୮ତମ ବୈଠକ ବସିବ । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ବୈଠକରେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀମାନେ ମଧ୍ୟ ସାମିଲ ହେବାର ଯୋଜନା ରହିଛି । ବୈଠକରେ ଟ୍ୟାକ୍ସ ବ୍ୟବସ୍ଥାର ନିୟମରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ତେବେ ୧୨ରୁ ଅଧିକ ନିୟମରେ ପରିବର୍ତ୍ତନ ନେଇ ବିଚାର ହୋଇପାରେ ।

୪୮ତମ ଜିଏସଟି ପରିଷଦର ବୈଠକରେ ପାନ ମସଲା ଓ ଗୁଟଖା ପରି ସାମଗ୍ରୀ ଉପରେ ଅତିରିକ୍ତ ଟ୍ୟାକ୍ସ ଲାଗୁ ନେଇ ବିଚାର ହୋଇପାରେ । ଗ୍ରୁପ ଅଫ୍ ମିନିଷ୍ଟର୍ସ ରିପୋର୍ଟରେ ଗୁଟଖା କମ୍ପାନୀଙ୍କ ଟ୍ୟାକ୍ସ ଚୋରି ମାମଲା ବିଷୟରେ ଚିନ୍ତାବ୍ୟକ୍ତ କରାଯାଇଥିଲା । ଏଥିସହିତ ଅତିରିକ୍ତ ଟ୍ୟାକ୍ସ ଲାଗୁ ନେଇ ମଧ୍ୟ କୁହାଯାଇଥିଲା । ତେବେ ପ୍ୟାନେଲ ପକ୍ଷରୁ ମୋଟ ୨୮ଟି ଆଇଟମ୍ ଉପରେ ବିଶିଷ୍ଟ ଟ୍ୟାକ୍ସ ଲାଗୁ ନେଇ ପ୍ରସ୍ତାବ ଦିଆଯାଇଛି ।

ଉକ୍ତ ସାମଗ୍ରୀ ମଧ୍ୟରେ ପାନ ମସଲା, ହୁକ୍କା, ଚିଲମ, ତମ୍ବାଖୁ ପରି ଆଇଟମ୍ ସାମିଲ ରହିଛି । ଏହି ଆଇଟମଗୁଡ଼ିକର ଖୁଚୁରା ବିକ୍ରି ମୂଲ୍ୟ ଉପରେ ୧୨ ପ୍ରତିଶତରୁ ଆରମ୍ଭ କରି ୬୯ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଟ୍ୟାକ୍ସ ଲାଗିବାର ପ୍ରସ୍ତାବ ରହିଛି । ବର୍ତ୍ତମାନ ଏହି ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗିଛି । ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ମନ୍ତ୍ରିସ୍ତରୀୟ ପ୍ୟାନେଲ ଏହି ପ୍ରସଙ୍ଗରେ ନିଜର ଅନ୍ତିମ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ଏହା ଆଜି ବୈଠକରେ ଆଗତ ହେବାର ସମ୍ଭାବନା ରହିଛି । ଯଦି ଏହି ରିପୋର୍ଟକୁ ମଞ୍ଜୁରୀ ମିଳିଯାଏ, ତେବେ ଏହି କ୍ଷେତ୍ରରେ ରିଟେଲର ଓ ଡିଷ୍ଟ୍ରିବ୍ୟୁଟର ଉଭୟ ସ୍ତରରେ ରାଜସ୍ୱ ଲିକେଜ ରୋକିବାରେ ସହାୟତା ମିଳିବ ।

Get real time updates directly on you device, subscribe now.