ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି । ଏହାକୁ ନେଇ ଭାରତ ଖୁସି । ମୋଦିଙ୍କ ସହ ଟ୍ରମ୍ପଙ୍କ ବନ୍ଧୁତା ଉଭୟ ଦେଶ ଭିତରେ ସମ୍ପର୍କକୁ ଆହୁରି ସୁଦୃଢ କରିବା ନେଇ ଆଶାକରାଯାଉଛି । ଠିକ ଏହି ସମୟରେ ଆମେରିକାରେ କାମ ପାଇଁ ଯାଉଥିବା ଭାରତୀୟ ଚିନ୍ତାରେ । ଟ୍ରମ୍ପ ପୁଣି ଶାସନକୁ ଫେରିବା ପରେ ଏଚ-୧ବି ଭିସା ନିୟମରେ ପରିବର୍ତ୍ତନ କରାଯିବ ବୋଲି ଆଶଙ୍କା କରାଯାଉଛି । କାରଣ ଗତ ସରକାର ସମୟରେ ଏହି ଆଇନରେ ପରିବର୍ତ୍ତନ ଆଣିବାକୁ ଟ୍ରମ୍ପ ପ୍ରୟାସ କରିଥିଲେ ।
ଆମେରିକାରେ କାମ କରୁଥିବା ବିଦେଶୀଙ୍କୁ ଏଚ-୧ବି ଭିସା ମାଧ୍ୟମରେ ସେଠାରେ କାମ କରିବାକୁ ଅନୁମତି ମିଳିଥାଏ । ଲକ୍ଷ ଲକ୍ଷ ଭାରତୀୟ ଏହି ଭିସା ବଳରେ ଆମେରିକାକୁ ଯାଇ ସେଠାରେ କାମ କରିଥାନ୍ତି । ମୁଖ୍ୟତଃ ଆଇଟି ଓ ଫାଇନାନ୍ସ ସେକ୍ଟରେ ଅଧିକ ଭାରତୀୟ କାମ କରିଥାନ୍ତି । ଏହି ଭିସା ଜରିଆରେ କମ୍ପାନୀ ବିଦେଶରୁ କର୍ମଚାରୀ ରଖିବାକୁ ସମର୍ଥ ହୋଇଥାନ୍ତି । ହେଲେ ଟ୍ରମ୍ପ ଆସିବା ପରେ ଭାରତୀୟ ଏବେ ଚିନ୍ତାରେ . ଏଚ-୧ବି ଭିସା ନିୟମରେ ପରିବର୍ତ୍ତନ ହେବ ବୋଲି ଆଶଙ୍କା କରାଯାଉଛି ।
ଆମେରିକାରେ ୱିପ୍ରୋ, ଇମ୍ଫୋସିସ, ଟିସିଏସ ପରି ଭାରତୀୟ ଟେକ କମ୍ପାନୀ ଭାରତୀୟଙ୍କୁ ଆମେରିକା ଡକାଇ କାମ କରାଇଥାନ୍ତି । ଆମେରିକା ପ୍ରତିବର୍ଷ ୬୫ହଜାରରୁ ଅଧିକ ଏହି ଭିସା ଜାରିକରେ, ସେଥିରୁ ସିଂହଭାଗ ଭାରତୀୟଙ୍କ ପାଇଁ ରହିଥାଏ । ଟ୍ରମ୍ପ ଭିସା ନିୟମରେ ପରିବର୍ତ୍ତନ କଲେ ଭିସା ଜାରିକୁ ସଙ୍କୁଚିତ କରିବା ସହ ଜଟିଳ ନିୟମ ଲାଗୁକରାଯିବ ବୋଲି ଆଶଙ୍କା କରାଯାଉଛି । କାରଣ ଟ୍ରମ୍ପ ସବୁ ସମୟରେ ଆମେରିକୀୟଙ୍କୁ ଚାକିରି ଦେବା ଉପରେ ପ୍ରାଧାନ୍ୟ ଦେଇଥାନ୍ତି । ବିଦେଶୀଙ୍କ ବଦଳରେ ଅଧିକ ଆମେରିକୀୟ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଯୁକ୍ତିବାଢି ଆସିଛନ୍ତି ଟ୍ରମ୍ପ ।
ଗତ ସରକାରରେ ମଧ୍ୟ ଏହି ଭିସା ଆଇନରେ ପରିବର୍ତ୍ତନ କରିଥିଲେ ଟ୍ରମ୍ପ । ଆଇନକୁ କଡାକଡି କରିଥିଲେ । ତେବେ ଏଥିରେ କମ୍ପାନୀଗୁଡିକ ବହୁ କ୍ଷତି ସହିଥିଲେ ।