fbpx

ଏଣିକି ଜନ୍ମ ନେବେନି ଦିବ୍ୟାଙ୍ଗ ଶିଶୁ! ଲ୍ୟାବରେ ଶିଶୁ ଅଙ୍ଗ ପ୍ରସ୍ତୁତ କରୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ପୁଣିଥରେ ବିଜ୍ଞାନ କ୍ଷେତ୍ରରେ ବଡ଼ ଚମତ୍କାର ହୋଇଛି । ନବଜାତ ଶିଶୁଙ୍କ ଶାରୀରିକ ବିକାଶକୁ ନେଇ ଏକ ବଡ଼ ଉଦ୍ଭାବନ କରିଛି ବିଜ୍ଞାନ । ଏଣିକି ଦିବ୍ୟାଙ୍ଗ ଶିଶୁ ଜନ୍ମରେ ହ୍ରାସ ଦେଖିବାକୁ ମିଳିପାରେ । ଅନେକ ପିଲା ଜନ୍ମ ହେବା ସମୟରେ ସେମାନଙ୍କ ଶାରୀରିକ ବିକାଶ ସମ୍ପୂର୍ଣ୍ଣ ହୋଇ ନଥାଏ । ବିଭିନ୍ନ ଅଙ୍ଗ ସଠିକ ଭାବରେ ବିକଶିତ ହୋଇ ପାରି ନଥିବାରୁ ସେମାନେ ଅନେକ ସମସ୍ୟାରେ ପଡ଼ିଥାନ୍ତି । କିନ୍ତୁ ଏଣିକି ଏଭଳି ସବୁ ଜେନେଟିକ ରୋଗର ଚିକିତ୍ସା ମିଳିବା ନେଇ ଆଶା ଦେଖାଯାଇଛି । ବର୍ତ୍ତମାନ ଲ୍ୟାବରେ ବୈଜ୍ଞାନିକ ମାନେ ଗର୍ଭରେ ବିକଶିତ ହେଉଥିବା ଶିଶୁଙ୍କ ପାଇଁ ଅଙ୍ଗ ପ୍ରସ୍ତୁତ କରିଥିବା ନେଇ ଦାବି କରିଛନ୍ତି । ଗର୍ଭାବସ୍ଥାର ଶେଷ ଦିନରେ ଶିଶୁର ଅଙ୍ଗ ଏବଂ କୋଷିକା ଇତ୍ୟାଦିକୁ ବିକଶିତ କରିବା ପାଇଁ ସେମାନେ ସମର୍ଥ ହୋଇ ପାରିଥିବା ଦାବି କରିଛନ୍ତି ବୈଜ୍ଞାନିକ ।

ଦୁନିଆରେ ଅନେକ ପିଲା ଗର୍ଭରୁ ହିଁ ଜେନେଟିକ ରୋଗ ସହ ଜନ୍ମ ନେଇଥାନ୍ତି । ଅଧିକାଂଶ ପିଲା ଡାୟାକ୍ରୋମ ହାର୍ଣ୍ଣିଆ(ପେଟର ସମସ୍ତ ଅଙ୍ଗ ଖସି ଛାତିରେ ରହିଯାଏ) ଭଳି ରୋଗରେ ପୀଡ଼ିତ ହୋଇଥାନ୍ତି । ଯାହା ଫଳରେ ଏସବୁ ସଠିକ ଭାବରେ କାମ କରିପାରନ୍ତି ନାହିଁ । ଏହାବ୍ୟତୀତ ସିଷ୍ଟିକ ଫାଇବ୍ରୋସିସ ଭଳି ରୋଗ ମଧ୍ୟ ଅନେକ ଶିଶୁଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ତେବେ ବର୍ତ୍ତମାନ ଏସବୁ ସମସ୍ୟାକୁ ସମାଧାନ କରିବା ପାଇଁ ବିଜ୍ଞାନ ଏବଂ ବୈଜ୍ଞାନିକ ଏକ ନୂଆ ଫର୍ମୁଲା ବାହାର କରିଛନ୍ତି । ନୂତନ ଗବେଷଣାରୁ ଜଣାଯାଇଛି ଯେ, ଗର୍ଭରେ ଥିବା ଶିଶୁ ଭ୍ରୁଣକୁ ନ ଛୁଇଁ ଶରୀରର ଅଙ୍ଗଗୁଡ଼ିକୁ ସୁସ୍ଥ କରା ଯାଇପାରିବ । ଏହା ଆମକୁ ଜେନେଟିକ୍ ରୋଗ ବିଷୟରେ ଅଧିକ ଶିକ୍ଷା ଦେଇପାରେ । ଏହାଦ୍ୱାରା ପିଲାମାନଙ୍କଠାରେ ଘଟୁଥିବା ଜେନେଟିକ୍ ରୋଗର ମୁକାବିଲା ପାଇଁ ଆମେ ଭଲ ଭାବରେ ଜାଣିପାରିବା । ଗର୍ଭଧାରଣ ପରେ ପିଲାମାନେ କିପରି ବିକାଶ କରନ୍ତି ତାହାର ରହସ୍ୟ ମଧ୍ୟ ଆମେ ପ୍ରକାଶ କରିବାକୁ ସମର୍ଥ ହେବା ବୋଲି କହିଛନ୍ତି ୟୁନିଭର୍ସିଟି କଲେଜ ଲଣ୍ଡନର ଡା. ମଟିୟା ଗେରଲୀ ।

ସୂଚନା ଅନୁସାରେ, ଅନୁସନ୍ଧାନକାରୀମାନେ ୧୨ ଜଣ ଗର୍ଭବତୀ ମହିଳାଙ୍କ ଗର୍ଭରୁ ୩୪ ସପ୍ତାହ ପର୍ୟ୍ୟନ୍ତ ଫୁସଫୁସ, କିଡନୀ ଏବଂ କ୍ଷୁଦ୍ର ଅନ୍ତନଳୀ କୋଷ ସଂଗ୍ରହ କରି ଏଗୁଡ଼ିକ ଉପରେ ଗବେଷଣା କରିଥିଲେ । ତେବେ ଆମନିଓଟିକ୍ ଫ୍ଲୁଇଡ୍ କୋଷରୁ ଛୋଟ ଅଙ୍ଗଗୁଡ଼ିକ ବିକଶିତ କରିବାରେ ସକ୍ଷମ ହୋଇଛନ୍ତି ବୈଜ୍ଞାନିକ । ବର୍ତ୍ତମାନ ଏଗୁଡିକ ଅଧ୍ୟୟନ କରାଯିବ । ଡକ୍ଟର ଗେରଲୀ କହିଛନ୍ତି ଯେ, ଜନ୍ମଗତ ଡାଇଫ୍ରାଗମେଟିକ୍ ହର୍ନିଆ ଥିବା ପିଲାମାନଙ୍କ ଉପରେ ଏହା ପ୍ରୟୋଗ କରିବାରୁ ପରୀକ୍ଷା ସଫଳ ହୋଇଛି । ପିଲାଟିର ଅଙ୍ଗ ନିଜ ସ୍ଥାନକୁ ପେରି ଆସିବା ସହ ସଠିକ ଭାବରେ କାମ କରୁଥିବା କହିଛନ୍ତି ଡା. ମଟିୟା ଗେରଲୀ ।

Get real time updates directly on you device, subscribe now.