ICC Champions Trophy 2025: 7 କୋଟିର ଘଣ୍ଟା ପିନ୍ଧି ଖେଳିଲେ ଭାରତୀୟ ଖେଳାଳୀ, ଦେଖନ୍ତୁ ଫଟୋ

ପାଣ୍ଡ୍ୟାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ଭାଇରାଲ ହେଉଛି ଫଟୋ ।

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି 2025ର ପଞ୍ଚମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଖେଳାଯାଉଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରିଛନ୍ତି । ପାଣ୍ଡ୍ୟା ଆଠ ଓଭରରେ ମାତ୍ର ୩୧ ରନ ଦେଇ ଦୁଇଟି ୱିକେଟ୍ ନେଇଥିଲେ ।

ଏହି ମ୍ୟାଚ୍‌ରେ, ପାଣ୍ଡ୍ୟା ଶିରୋନାମାରେ ରହିଛନ୍ତି । କେବଳ ତାଙ୍କ ପ୍ରଦର୍ଶନ ପାଇଁ ନୁହେଁ  ବରଂ ସେ ଏପରି କିଛି କରିଛନ୍ତି ଯାହା ପରେ ତାଙ୍କୁ ସୋସିଆଲ ମିଡିଆରେ ବ୍ୟାପକ ଭାବରେ ଆଲୋଚନା କରାଯାଉଛି ।

ପାଣ୍ଡ୍ୟା ଏହି ମ୍ୟାଚ୍‌ରେ ‘ରିଚାର୍ଡ ମିଲେ’ଙ୍କ ଏକ ଲଗଜରୀ ଘଣ୍ଟା ପିନ୍ଧିଥିବାର ଦେଖାଯାଇଥିଲା। ଏହି ଘଣ୍ଟାଟି ହେଉଛି ରିଚାର୍ଡ ମିଲେ RM27-02 CA FQ ଟୁରବିଲନ୍ ରାଫେଲ୍ ନାଡାଲ୍ ସ୍କେଲିଟନ୍ ଡାଏଲ୍ ଏଡିସନ୍ । ଏହାର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ବାବର ଆଜମ ଏବଂ ସୌଦ ଶକିଲଙ୍କୁ ଆଉଟ୍ କରିଥିଲେ । ହାର୍ଦ୍ଦିକ ବାବରଙ୍କୁ ୱିକେଟକିପର କେଏଲ ରାହୁଲଙ୍କ ହାତରେ କ୍ୟାଚ୍ କରାଇ ପ୍ୟାଭିଲିୟନ ପଠାଇ ଦେଇଥିଲେ । ବାବର ୨୬ ବଲ୍‌ରେ ପାଞ୍ଚଟି ଚୌକା ମାରି ୨୩ ରନ୍ କରିପାରିଥିଲେ । ସେ ସୌଦ ଶକିଲଙ୍କୁ ଅକ୍ଷର ପଟେଲଙ୍କ ହାତରେ କ୍ୟାଚ୍ କରାଇଥିଲେ । ଶକିଲ ୭୬ ବଲ୍‌ରେ ପାଞ୍ଚଟି ଚୌକା ମାରି ୬୨ ରନ୍‌ର ଏକ ଇନିଂସ ଖେଳିଥିଲେ ।