ମିଛ ପ୍ରେମରେ ଫସାଇ ସମ୍ପର୍କ ରଖିଲା, ଭିଡ଼ିଓ ସାହାର୍ଯ୍ୟରେ ବ୍ଲାକମେଲ କରି ସର୍ବସ୍ୱ ଲୁଟିନେଲା

ପ୍ରେମଜାଲରେ ଫସାଇ ଶିକ୍ଷୟିତ୍ରୀଙ୍କ ସର୍ବସ୍ୱ ଲୁଟିନେଲା

ଉତ୍ତରପ୍ରଦେଶ: ଶିକ୍ଷୟିତ୍ରୀ ହେଲେ ବ୍ଲାକମେଲର ଶିକାର। ମିଛ ପ୍ରେମଜାଲରେ ଫସାଇ ସବୁକିଛି ଲୁଟିନେଲେ ଯୁବକ। ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରେ ଷଡ଼ଯନ୍ତ୍ରର ଶିକାର ହୋଇ ଜଣେ ଶିକ୍ଷୟିତ୍ରୀଙ୍କ ଜୀବନ ଯାଇଛି।

ମହିଳା ଜଣକ ପିଲାମାନଙ୍କ ଭବିଷ୍ୟତ ଗଢ଼ୁଥିଲେ, କିନ୍ତୁ ତାଙ୍କ ନିଜ ଜୀବନ ମିଛ ପ୍ରେମ, ପ୍ରତାରଣା ଏବଂ ବ୍ଲାକମେଲିଂ ଯୋଗୁଁ ଶେଷ ହୋଇଥିଲା। ଭରଥାନା ଥାନା ଅଞ୍ଚଳର ମୋଦି ଗାଁରେ ଜୁଲାଇ 23 ତାରିଖରେ ଆତ୍ମହତ୍ୟା କରିଥିବା ମହିଳା ପ୍ରିନ୍ସିପାଲଙ୍କ ଘରୁ ଭଙ୍ଗା ଫୋନ, ଟାବଲେଟ୍ ଏବଂ ବ୍ୟାଙ୍କ ପାସବୁକରୁ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି।

ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ସାମ୍ହୋ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ଶିକ୍ଷକ ରାହୁଲ ପ୍ରଥମେ ତାଙ୍କୁ ମିଛ ପ୍ରେମରେ ଫସାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଭିଡିଓ ଏବଂ ଫଟୋ ସାହାର୍ଯ୍ୟରେ ତାଙ୍କୁ ବ୍ଲାକମେଲ୍ କରିଥିଲେ। ତା ପରେ ଶିକ୍ଷୟିତ୍ରୀଙ୍କ ଦରମା, ଜମି ଏବଂ ଟଙ୍କା ଯୋଜନାବଦ୍ଧ ଭାବରେ ହଡ଼ପ କରିଥିଲେ।

ମୃତକଙ୍କ ସାନ ଭାଇଙ୍କ ଅନୁଯାୟୀ, ମୃଦୁଲା ୨୦୨୧ ମସିହାରେ ଇଟାୱା ସହରର ସରାଇ ଅର୍ଜୁନରେ ୩୫ ଲକ୍ଷ ଟଙ୍କାର ଏକ ପ୍ଲଟ୍ କିଣିଥିଲେ। ରାହୁଲ ସେହି ଜମିକୁ ବିକ୍ରି କରି ଅନ୍ୟ ଏକ ସ୍ଥାନରେ ଘର ତିଆରି କରିଥିଲେ ଏବଂ ତାଙ୍କ ପରିବାର ସହିତ ରହୁଥିଲେ। ଯେତେବେଳେ ପୀଡିତା ସେହି ଘରେ ରହିବାକୁ କହିଲେ ସେତେବେଳେ ସେ ଜାଣିଲେ ଯେ ଆଗରୁ ରାହୁଲ ବିବାହିତ।

ଏସବୁ ଦେଖି ଯେତେବେଳେ ଶିକ୍ଷୟିତ୍ରୀ ତାଙ୍କୁ ଟଙ୍କା ଫେରସ୍ତ ମାଗିଲେ, ରାହୁଲ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ କରିବାକୁ ଧମକ ଦେଲେ। କେବଳ ସେତିକି ନୁହେଁ ସେ ତାଙ୍କୁ ମାନସିକ ନିର୍ଯାତନା ଦେଇ ହଇରାଣ କରିବା ମଧ୍ୟ ଆରମ୍ଭ କରିଦେଲେ। ଶେଷରେ ଏସବୁ ସହିନପାରି ଶିକ୍ଷୟିତ୍ରୀ ଜଣଙ୍କ ଆତ୍ମହତ୍ୟା କରିଦେଲେ।

ପରିବାର ଲୋକେ ତାଙ୍କ ଟାବଲେଟ୍ ଏବଂ ମୋବାଇଲ୍ ଖୋଜିବା ସମୟରେ, ଚାଟିଂ, କଲ୍ ରେକର୍ଡିଂ ଏବଂ କାରବାରର ସମସ୍ତ ଡିଜିଟାଲ୍ ପ୍ରମାଣ ସାମ୍ନାକୁ ଆସିଛି। ଯାହାକୁ ନେଇ ଏସପି ଗ୍ରାମାଞ୍ଚଳ ଶ୍ରୀଶ ଚନ୍ଦ୍ର କହିଛନ୍ତି ଯେ, ମାମଲାଟି ଅତ୍ୟନ୍ତ ଗମ୍ଭୀର, ସମସ୍ତ ପ୍ରମାଣର ତଦନ୍ତ ଚାଲିଛି। ଯଦି ଅଭିଯୋଗ ସଠିକ୍ ପ୍ରମାଣିତ ହୁଏ, ତେବେ ଅଭିଯୁକ୍ତ ଶିକ୍ଷକଙ୍କୁ ଛଡ଼ାଯିବ ନାହିଁ।