fbpx

କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି: ଏଣିକି ସନ୍ଧ୍ୟା ସମୟରେ ଟ୍ୱିନ୍ ସିଟିକୁ ଟ୍ରକ, ଟ୍ରେଲର, ହାଇୱା ପ୍ରବେଶ ମନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ସନ୍ଧ୍ୟା ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦ୍ୱୈତ ନଗରୀରେ ଭାରିଯାନ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।

ନୂଆ ନିଷ୍ପତ୍ତି ମୁତାବକ, ଏଣିକ ସନ୍ଧ୍ୟା ୫ଟାରୁ ୭.୩୦ ପର୍ଯ୍ୟନ୍ତ ସହର ମଧ୍ୟକୁ ୬ ଚକିଆ ଯାନ ପ୍ରବେଶ କରିପାରିବ ନାହିଁ । କସମୋପଲିସ ଛକରୁ ହଂସପାଳ, ଶିଖରପୁରରୁ ମଧୁପାଟଣା, ପିତାପଲ୍ଲୀ ଛକ ପଟୁ ଭୁବନେଶ୍ୱର ଆଡ଼କୁ ଓ ମଙ୍ଗୁଳି ଛକପଟୁ କଟକ ସହର ପର୍ଯ୍ୟନ୍ତ ବେଶି ମାତ୍ରାରେ ଟ୍ରାଫିକ ସମସ୍ୟା ଦେଖାଯାଉଛି । ତେଣୁ ଟ୍ୱିନ୍ ସିଟିକୁ ଟ୍ରକ, ଟ୍ରେଲର ଓ ହାଇୱା ପ୍ରବେଶ ନିଷେଧ କରାଯାଇଥିବା ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଟ୍ୱିନ ସିଟିରେ ସକାଳ ୯ଟାରୁ ୧୧ଟା ଓ ଅପରାହ୍ଣ ୪ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ତେଣୁ ଭାରି ଯାନ ଉପରେ କଟକଣା ଲାଗୁ କରାଯିବା ସହ ଏନେଇ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସହର ମଧ୍ୟରେ ଭାରିଯାନ ଚଳ ପ୍ରଚଳ ନ କରିବା ଫଳରେ ଜରୁରୀକାଳୀନ ସେବା ଗାଡ଼ି ସହଜରେ ଯାତାୟାତ କରିପାରିବ । ଅନେକ ସମୟରେ ଟ୍ରାଫିକ ଭିଡ଼ରେ ଆମ୍ବୁଲାନ୍ସ ଫଶି ରହିବା କାରଣରୁ ଅନେକଙ୍କର ଜୀବନ ଚାଲିଯାଇଥିବାର ଖବର ମଧ୍ୟ ଶୁଣିବାକୁ ମିଳିଛି । ରାସ୍ତାରୁ ଭାରିଯାନ ହଟିଲେ ଜନସାଧାରଣ ମଧ୍ୟ ସହଜରେ ଯିବାଆସିବା କରିପାରିବେ ।

Get real time updates directly on you device, subscribe now.