fbpx

ଲକ୍ ଡାଉନ ସମୟରେ ବୋର ହେଉଛନ୍ତି କି, ଘରେ ବସି ସୁନ୍ଦର ତ୍ୱଚା ଓ କେଶ ପାଇଁ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ତରୁଣୀମାନେ ନିଜର ତ୍ୱଚା ଓ କେଶକୁ ସୁନ୍ଦର କରିବାକୁ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ପ୍ରକାର କସମେଟିକ କ୍ରିମ ଲଗାଉଛନ୍ତି । ଯାହାଫଳରେ ଏହା ପାଶ୍ୱର୍ପ୍ରତିକ୍ରିୟାର ଭୟ ରହିଥାଏ । କିନ୍ତୁ ରୋଷେଇ ଘରେ ଆମ ହାତ ପାହାନ୍ତରେ ଏପରି କିଛି ଜିନିଷ ରହିଛି ଯାହା ସାହାଯ୍ୟରେ ଆମେ ତ୍ୱଚା ଓ କେଶକୁ ସୁନ୍ଦର କରିପାରିବା । ଦୈନଦିନ ଜୀବନ ବ୍ୟସ୍ତତା ଭିତରେ ଆମେ ହରବାଲର କୌଣସି ଜିନିଷ ପ୍ରସ୍ତୁତ କରିବାରେ ସମୟ ମିଳୁ ନାହିଁ । କିନ୍ତୁ ଏହି ଲକ୍ ଡାଉନ ସମୟରେ ଘରେ ବସି ଝିଅ ଓ ମହିଳା ବୋର୍ ହୋଇଯାଉଥିଲେ ନିଜ କେଶ ଓ ତ୍ୱଚା ପ୍ରତି ଏହି ସମୟରେ ସ୍ୱତନ୍ତ୍ର ଧ୍ୟାନ ଦେଇପାରିବେ ।
ସୌନ୍ଦର୍ୟ୍ୟ ବୃଦ୍ଧିରେ ତେଲ ଓ ହଳଦୀର ଅବଦାନ କିଛି କମ ନୁହେଁ । ହଳଦୀକୁ ଆମେ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିଥାଉ । ହଳଦୀରେ ବହୁ ଆୟୁର୍ବେଦିକ ଗୁଣ ଭରି ରହିଛି । ଦୈନିକ ହଳଦୀ ବ୍ୟବହାର ଦ୍ୱାରା ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ । ବିଶେଷ କରି ହଳଦୀ ଓ ତେଲର ବ୍ୟବହାର ଦ୍ୱାରା କେଶ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ସେହିପରି ସୌନ୍ଦର୍ୟ୍ୟ ବୃଦ୍ଧିରେ ତେଲର ଅବଦାନ କିଛି କମ ନୁହେଁ । ଏହାଛଡ଼ା ଏହି ପ୍ରାକୃତିକ ସବୁ ଜିନିଷ ହାତ ପାହାନ୍ତରେ ରୋଷେଇ ଘରେ ଅତି ସହଜରେ ମିଳିପାରିବ ।
ହଳଦୀ: ହଳଦୀ ତ୍ୱଚା ଉଜ୍ଜ୍ୱଳ କରିବା ସହ କେଶ ସମସ୍ୟାରୁ ଉପଶମ ଦେଇଥାଏ । ଯଦି ଆପଣ ରୁପି ସମସ୍ୟାରେ ପଡ଼ିଛନ୍ତି ତେବେ ହଳଦୀ ବ୍ୟବହାର ଦ୍ୱାରା ଏଥିରୁ ମୁକ୍ତି ମିଳି ପାରିବ । ଏହାକୁ ଆମେ ନେଚୁରାଲ କଣ୍ଡିସନର ଭାବେ ବ୍ୟବହାର କରି ପାରିବା । ସବୁଠାରୁ ବଡ଼ କଥା ହେଲା ହଳଦୀ ବ୍ୟବହାର କଲେ କିଛି ପାଶ୍ୱର୍ ପ୍ରତିକ୍ରିୟା ହୋଇନଥାଏ । କେବଳ ରୁପି ସମସ୍ୟା ନୁହେଁ ହଳଦୀ କେଶ ଝଡ଼ିବା ରୋକିବା ସହ କେଶକୁ ଚମକ ଦେଇଥାଏ । ଏହାସହ ବିଭିନ୍ନ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ଖାଲି ସେତିକି ନୁହେଁ ମୁହଁରେ କିଛି ଦାଗ ହୋଇଥିଲେ ନିୟମିତ ହଳଦୀ ଲଗାଇଲେ ତାହା ଭଲ ହୋଇଯାଇଥାଏ । ଦେହରେ ହଳଦୀ ଲଗାଇଲେ କୌଣସି ପ୍ରକାର ଚର୍ମ ରୋଗ ହୁଏ ନାହିଁ ।
ନଡ଼ିଆ ତେଲ: ନଡ଼ିଆ ତେଲକୁ ଗରମ କରି କେଶର ମୂଳରେ ମାଲିସ କରି ପୂରା ରାତି ଛାଡ଼ି ଦିଅନ୍ତୁ । ଏହା କରିବା ଦ୍ୱାରା କେଶର ଶୁଷ୍କତା ଓ ଦୁଇ ମୁହାଁ କେଶ ସମସ୍ୟାରୁ ମୁକ୍ତି ମିଳେ ।
ରାଶି ତେଲ: ରାଶି ତେଲକୁ ଶରୀର ମସାଜ ପାଇଁ ବ୍ୟବହାର କରାଯାଏ । ଏହା ବହୁତ ପତଳା ତେଲ ହୋଇଥିବାରୁ ତୁରନ୍ତ ଚର୍ମରେ ମିଶିଯାଏ । ଆୟୁର୍ବେଦ କୁହେ, ଏହି ତେଲ ଶରୀରର ସମସ୍ତ ପ୍ରକାର ଦୋଷ ପାଇଁ ବେଶ୍ ଉପଯୋଗୀ । ଏଥିରେ ବହୁ ପରିମାଣର ପୋଷକତତ୍ତ୍ୱ ଓ ରୋଗ ପ୍ରତିରୋଧକ ଶକ୍ତି ରହିଛି । ପ୍ରତିଦିନ ଏହି ତେଲକୁ ଶରୀରରେ ମସାଜ କରିବାଦ୍ୱାରା ଚର୍ମ ଚିକ୍କଣ ରୁହେ । ଏହାଛଡ଼ା ଏହି ତେଲରେ ସନସ୍କ୍ରିନ ରହିଛି ଯାହାଦ୍ୱାରା ଏହି ତେଲକୁ ମୁହଁରେ ମଧ୍ୟ ଲଗାଯାଇପାରିବ ।
ଆଲମଣ୍ଡ ତେଲ: ଚର୍ମ ଶୁଷ୍କ ହୋଇ କୁଣ୍ଡାଇ ହେଉଥିଲେ ଏହି ତେଲରେ ମସାଜ କରନ୍ତୁ । ଏହା ସବୁ ପ୍ରକାର ଚର୍ମ ପାଇଁ ଉପଯୋଗୀ ହେଉଥିବା ବେଳେ ସେନସିଟିଭ ସ୍କିନ ପାଇଁ ବେଶୀ ଲାଭଦାୟକ ।
ଜଡ଼ା ତେଲ: ଏହି ତେଲକୁ କେଶର କଣ୍ଡିସିନିଂ ପାଇଁ ବ୍ୟବହାର କରାଯାଇପାରିବ । ଏହା ସହ ଯେଉଁ କେଶଗୁଡ଼ିକ ଖରା ସଂସ୍ପର୍ଶରେ ଆସି ଖଇରିଆ ରଙ୍ଗ ପଡ଼ିଯାଇଥାଏ, ତାହାକୁ କଳା କରିଥାଏ । ଏହି ତେଲକୁ ଆଖିପତା ଓ ଆଖିର ଭ୍ରୂଲତାକୁ ଗାଢ଼ ରଙ୍ଗ କରିବା ସହ ଅଧିକ ଘନ ମଧ୍ୟ କରାଏ । ଆଖିପତା ପାଇଁ ଦିନ ସମୟରେ ଏକ ତୁଳାରେ କିଛି ଜଡ଼ା ତେଲ ନେଇ ପତାରେ ଲଗାଇ ଛାଡ଼ିଦେବେ, କିନ୍ତୁ ଏହାକୁ ରାତିରେ ଲଗାଇ ଶୋଇବେ ନାହିଁ ।

Get real time updates directly on you device, subscribe now.