fbpx

ରାଜ୍ୟ ସରକାର ଦାଖଲ କରିବେ କୋଭିଡ୍ ମୃତ୍ୟୁର ପ୍ରକୃତ ତଥ୍ୟ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ମୃତ୍ୟୁକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସରକାରୀ ତଥ୍ୟ, ଶ୍ମଶାନ ମୃତ୍ୟୁ ସଂଖ୍ୟା, ମୃତ୍ୟୁ ସାର୍ଟିଫିକେଟକୁ ତର୍ଜମା କଲେ କରୋନା ମୃତ୍ୟୁ ସଂଖ୍ୟାରେ କୌଣସି ତାଳମେଳ ରହୁନଥିଲା । ତେଣୁ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ସରକାର ପ୍ରତ୍ୟେକ ଜିଲ୍ଲା ଭିତ୍ତିରେ କରୋନା ମୃତ୍ୟୁର ତଥ୍ୟ ହାଇକୋର୍ଟରେ ଦାଖଲ କରିବେ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ କରିଛନ୍ତି । ତେବେ କରୋନା ମୃତ୍ୟୁକୁ ନେଇ ହେଉଥିବା ଅଭିଯୋଗ ପାଇଁ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଏଡିଏମ୍ ପାହ୍ୟାର ଜଣେ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିବା କହିଥିଲେ । ତେବେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସମ୍ପର୍କିତ ସୁବିସ୍ତୃତ ତଥ୍ୟ ଦାଖଲ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କର ପ୍ରକୃତ ତଥ୍ୟ ପ୍ରକାଶ କରାଯାଉନାହିଁ ବୋଲି ଅଭିଯୋଗ କରି ଆଇନଜୀବୀ ନିଶିକାନ୍ତ ମିଶ୍ର ହାଇକୋର୍ଟରେ ଗତ ଜୁନ୍ ମାସ ୨୩ ତାରିଖରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ।

ଜଣାପଡ଼ିଛି ଯେ, ଗତବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ସତ୍ୟନଗର ଶ୍ମଶାନରେ ମୋଟ ୪୯୫ଟି ଶବ ଦାହ କରାଯାଇଥିଲା । କରୋନା ବଢ଼ିବା ପରେ ଜୁଲାଇରୁ ଡିସେମ୍ବର ମଧ୍ୟରେ ୩୯୭୮ଟି ଶବ ଦାହ ହୋଇଥିଲା । ତଥ୍ୟ ଅନୁଯାୟୀ ଗତବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ମାସିକ ହାରାହାରି ୮୩ଟି ଓ ଜୁଲାଇରୁ ଡିସେମ୍ବର ମଧ୍ୟରେ ହାରାହାରି ୬୬୩ଟି ଶବଦାହ ହୋଇଥିଲା । ମାତ୍ର ଡିସେମ୍ବର ମାସ ସୁଦ୍ଧା ସରକାରୀ ଭାବେ ୧୮୭୩ଟି ଶବ ଦାହ କରାଯାଇଥିବା ଘୋଷଣା ହୋଇଥିଲା । ସେହିପରି ଗତବର୍ଷ ୫୪୯୮ଟି ମୃତ୍ୟୁ ପ୍ରମାଣପତ୍ର ଜାରି କରାଯାଇଥିବା ବେଳେ ୬୧୧ଟି ମୃତ୍ୟୁ ସାର୍ଟିଫିକେଟ୍ ଦିଆଯାଇଥିଲା । ଏହାବାଦ୍ ବିଏମସି ହସ୍ପିଟାଲ ସହ ଅନ୍ୟ ୭ଟି ଘରୋଇ ହସ୍ପିଟାଲରେ ୩୨୪୬ଟି ମୃତ୍ୟୁ ହୋଇଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଥିଲା । ସେହିପରି ଚଳିତ ବର୍ଷ ଏପ୍ରିଲ ଓ ମେ ମାସରେ ୪୧୪ ମୃତ୍ୟୁ ରହିଥିବା ସରକାରୀ ଭାବେ ଦର୍ଶାଯାଇଥିଲା । ସରକାରୀ ରିପୋର୍ଟ, ଶ୍ମଶାନ ଶବଦାହ ସଂଖ୍ୟା ଓ ମୃତ୍ୟୁ ପ୍ରମାଣପତ୍ରକୁ ତର୍ଜମା କଲେ କୌଣସି ତାଳମେଳ ରହୁନାହିଁ । ରାଜ୍ୟ ସରକାର ମୃତ୍ୟୁସଂଖ୍ୟା ଲୁଚାଉଥିବା ନେଇ ଚାରିଆଡ଼େ ଚର୍ଚ୍ଚା ହେଉଥିଲା । ତେଣୁ ରାଜ୍ୟ ସରକାର ତୁରନ୍ତ କରୋନା ମୃତ୍ୟୁ ନେଇ ଗତବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ପ୍ରମାଣ ସହ ଉପସ୍ଥାପନ କରିବା ଦରକାର ବୋଲି ବିଭିନ୍ନ ମହଲରେ ଦାବି ହୋଇଥିଲା । ତେବେ ହାଇକୋର୍ଟଙ୍କ ଏହି ରାୟ ପରେ କରୋନା ମୃତ୍ୟୁର ପ୍ରକୃତ ସଂଖ୍ୟା ସାମନାକୁ ଆସିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.