fbpx

ସିଏଏ ଅଧୀନରେ ପଶ୍ଚିମବଙ୍ଗରେ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାଗରିକତା ସଂଶୋଧନ ଆଇନ (ସିଏଏ) ଅଧୀନରେ ପଶ୍ଚିମବଙ୍ଗରେ ନାଗରିକତା ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛି। ହରିୟାଣା ଏବଂ ଉତ୍ତରାଖଣ୍ଡର ସଂପୃକ୍ତ କମିଟି ମଧ୍ୟ ଆଜି ନିଜ ନିଜ ରାଜ୍ୟରେ ଆବେଦନକାରୀଙ୍କ ପ୍ରଥମ ଗୋଷ୍ଠୀକୁ ନାଗରିକତା ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏ ନେଇ ସୂଚନା ଦିଆଯାଇଛି।

ପଶ୍ଚିମବଙ୍ଗରେ ଏବେ ନାଗରିକତା ସଂଶୋଧନ ନିୟମ ୨୦୨୪ ଅଧୀନରେ ନାଗରିକତା ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ରାଜ୍ୟରୁ ଆସିଥିବା ପ୍ରଥମ ବ୍ୟାଚ୍ ଆବେଦନକୁ ଆଜି ପଶ୍ଚିମବଙ୍ଗ ରାଜ୍ୟର କ୍ଷମତାପ୍ରାପ୍ତ କମିଟି ନାଗରିକତା ପ୍ରଦାନ କରିଛି। ସେହିପରି ହରିୟାଣା ଓ ଉତ୍ତରାଖଣ୍ଡ ରାଜ୍ୟର କ୍ଷମତାସମ୍ପନ୍ନ କମିଟି ମଧ୍ୟ ନାଗରିକତା ସଂଶୋଧନ ନିୟମ, ୨୦୨୪ ଅଧୀନରେ ଆଜି ନିଜ ନିଜ ରାଜ୍ୟରେ ପ୍ରଥମ ଗୋଷ୍ଠୀର ଆବେଦନକାରୀଙ୍କୁ ନାଗରିକତା ପ୍ରଦାନ କରିଛନ୍ତି।

ଏହା ପୂର୍ବରୁ ପାକିସ୍ତାନର ୧୪ ଜଣ ହିନ୍ଦୁଙ୍କୁ ଭାରତ ସରକାର ମେ ୧୫ ରେ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଥିଲେ। ଭାରତ ସରକାର ୧୧ ମାର୍ଚ୍ଚ ୨୦୨୪ରେ ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ କରିଥିଲେ । ଏହି ଆଇନ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯାଇଥାଏ।

Get real time updates directly on you device, subscribe now.